ପାଳଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟ ? ବଢ଼ୁଛି ସନ୍ଦେହ..

Half Burnt

ନୂଆପଡ଼ା: ପାଳଗଦାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗାଁର ବିନ୍ଧାଣିପଡାରେ ପାଳଗଦାରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ସେହି ଗାଁର ନକୁଳ ଭୋଇଙ୍କର ବୋଲି ଜଣାପଡ଼ିଛି । ଗାଁରେ ଥିବା ପାଳଗଦା ପୋଡ଼ୁଥିବା ଜାଣିବା ପରେ ସ୍ଥାନୀୟ ଲୋକ ସେଠାକୁ ଯାଇଥିଲେ। ସେଠାରେ ଅର୍ଦ୍ଧଦଗ୍ଧ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଏହା ହତ୍ୟା, ଆତ୍ମହତ୍ୟା ନା ଅପମୃତ୍ୟୁ, ସେନେଇ ତଦନ୍ତ କରୁଛି ପୋଲିସ । ମୃତଦେହକୁ ଉଦ୍ଧାର କରାଯିବା ପରେ ବ୍ୟବଚ୍ଛେଦ ପାଇ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ।

ସେହିଭଳି ଗୁରୁବାର ରାୟଗଡା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ପାଳଗଦାରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଦୁଇ ଶିଶୁ । ଦୁଇ ଜଣ ଶିଶୁ ହେଲେ ପାଞ୍ଚ ବର୍ଷର କୁମାରୀ ମାଝୀ ଓ ତିନି ବର୍ଷର ବିଦ୍ୟା ମାଝୀ । ନିଆଁର ଭୟବହତା ଏତେ ପରିମାଣର ଥିଲା ଯେ, ଘଟଣାସ୍ଥଳରେ ହିଁ ଉଭୟ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ସୂଚନା ମୁତାବକ ମଧ୍ୟାହ୍ନ ସମୟରେ ଦୂର୍ଯ୍ୟୋଧନ ମାଝୀଙ୍କ ଦୁଇ ଝିଅ ପରିବା କ୍ଷେତରେ ଥିବା ପାଳଗଦା ନିକଟରେ ନିଆଁ ଲଗାଉ ଥିଲେ । ଏବଂ ସେହି ପାଖରେ ହିଁ ଦୁଇ ଭଉଣୀ ବସିଥିଲେ । ହଠାତ ପାଳଗଦାକୁ ନିଆଁ ଧରି ଦେଇଥିଲା । ଫଳରେ ସେମାନେ ନିଆଁରେ ପୋଡ଼ି ହୋଇ ଯାଇଥିଲେ । ନିଆଁର ପ୍ରକୋପ ଅଧିକ ଥିବାରୁ ଶିଶୁମାନେ ବାହାରକୁ ଆସିପାରିନଥିଲେ । ଫଳରେ ଦୁହେଁ ସେହି ନିଆଁରେ ପୋଡି ହୋଇଯାଇଥିଲେ ।

ସେହିଭଳି ଭଦ୍ରକ କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ରୁ ଅଧିକ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ଘରର ଆସଵାଵ ପତ୍ର ସମେତ ଧାନ, ଚାଉଳ, ଘର କରଣା ଜିନିଷ ପୋଡ଼ିପାଉଁଶ ହୋଇଯାଇଛି । ଗାଁର ଲକ୍ଷ୍ମୀଧର ସ୍ବାଇଁ, ସୁରେନ୍ଦ୍ର ସ୍ବାଇଁ, ଦେଵେନ୍ଦ୍ର ସ୍ବାଇଁ, ବବିଲତା ସ୍ବାଇଁ ଓ ଅନିଲ ସ୍ଵାଇଁଙ୍କ ଘର ପୋଡ଼ି ଯାଇଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Leave a Reply