ବଳଭଦ୍ର ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି: ହଳଧର ଦାସ ମହାପାତ୍ର

ପୁରୀ: ଆଡ଼ପ ପହଣ୍ଡିବେଳେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ସେ କହିଛନ୍ତି: ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା । ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ, ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁ ଗତ ଆଡପ ମଣ୍ଡପ ଦିନ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି।

ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନଥିବା ସେବାୟତ ରଥ ଉପରେ ରହିଥିଲେ। ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା। ପ୍ରଭୁ ବଳଭଦ୍ର ଚାରମାଳ ଉପରେ ଏଭଳି ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି। ତେଣୁ ବାହୁଡା ଦିନ ଯଦି ରଥ ଉପରେ ଅନଧିକୃତ ସେବାୟତ ରୁହନ୍ତି ତେବେ ମହାପ୍ରଭୁଙ୍କ ପହଣ୍ଡି ନୀତିରେ ବିଭ୍ରାଟ ହେବ। ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। ନଚେତ୍ ଆଗକୁ ଆହୁରି କିଛି ବଡ ଅଘଟଣ ଘଟିପାରେ ବୋଲି ସୂଚେଇ ଦେଇଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ।