ଓକାକ ସିଇଓଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଠକେଇ, କ୍ରାଇମବ୍ରାଞ୍ଚର ଛାନଭିନ୍
1 min readଭୁବନେଶ୍ୱର: ଅଦୃଶ୍ୟ ଠକର ଜାଲରେ ଏଥର ଓକାକ୍ । ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର- ଓକାକର ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ଠକେଇ । ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଘଟଣାର ଛାନଭିନ୍ ଆରମ୍ଭ କରିଛି ପୋଲିସ । କ୍ରାଇମବ୍ରାଞ୍ଚ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରିଛି । ୨ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛି ।
ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ । ୩୦ ସେକେଣ୍ଡରେ ଠକି ନେଲେ ୭ ଲକ୍ଷ ଟଙ୍କା । ଚିକିତ୍ସା ଆଳରେ ସାଇବର ଅପରାଧୀ ପକାଇଥିଲା ଫାଶ । ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ଅଫିସ୍ ଷ୍ଟାଫ୍ ଓ ସମ୍ପର୍କୀୟମାନଙ୍କୁ ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିଲା । କର୍ମଚାରୀମାନେ ସତ ଭାବି ଜଣେ ୫ ଲକ୍ଷ ଓ ଆଉ ଜଣେ ୨ ଲକ୍ଷ ଟଙ୍କା ପଠାଇଥିଲେ । ଶେଷରେ ଖୋଳତାଡ଼ ବେଳେ ଜଣା ପଡ଼ିଥିଲା ଯେ ମନୋଜ ପଟ୍ଟନାୟକଙ୍କ ଶରୀର ଅସୁସ୍ଥ ହୋଇନି । ସାଇବର ଅପରାଧୀ ହ୍ୱାଟ୍ସଆପ୍ ନମ୍ବରକୁ ହ୍ୟାକ କରି ମେସେଜ ପଠାଇ ଟଙ୍କା ଠକିଛନ୍ତି ।
ସହିଦ ନଗର ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦକ୍ଷିଣ ଭାରତୀୟ ରାଜ୍ୟର ଏକ ସର୍ଭିସ ପ୍ରୋଭାଇଡର ନମ୍ବରରୁ ମେସେଜ ଆସିଥିଲା । ଟଙ୍କା ଯାଇଥିବା ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖିବା ସହ ମୋବାଇଲ୍ ନମ୍ବର ଓ ଆକାଉଣ୍ଟକୁ ଫ୍ରିଜ କରିବା ପାଇଁ ପୋଲିସ କହିଛି । କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୨ ଜଣିଆ ଟିମ୍ ଓକାକରେ ପହଞ୍ଚି ଛାନଭିନ୍ କରୁଛନ୍ତି । କେଉଁ ସର୍ଭିସ ପ୍ରୋଭାଇଡରରୁ ମେସେଜ୍ ଆସିଥିଲା, ଟଙ୍କା କେଉଁଠାକୁ ଯାଇଛି ? ଅଭିଯୋଗକାରୀଙ୍କ ବୟାନ ନେଇଛି କ୍ରାଇମବ୍ରାଞ୍ଚ ।
ସେପଟେ ହ୍ୱାଟ୍ସଆପ୍ ହ୍ୟାକ ନେଇ ପ୍ରତିକ୍ରିୟା ଦେଇଛନ୍ତି ସାଇବର ଏକ୍ସପର୍ଟ । ହ୍ୱାଟ୍ସଆପରେ ୬ ଡିଜିଟ କୋଡ୍, କ୍ୟୁଆର କୋଡ୍, ମୋବାଇଲ ଫ୍ରି ଚାର୍ଜିଂ ପଏଣ୍ଟ, ଫ୍ରି ୱାଇ ଫାଇ ଏବଂ ଏସଏମଏସ ଲିଙ୍କରେ କ୍ଳିକ୍ କଲେ ହ୍ୟାକ୍ ହେବ । କିଛିଦିନ ହେଲା ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଠକ । ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ କରି କିମ୍ବା ଫେକ୍ ଆକାଉଣ୍ଟ କରି ସେମାନଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ଆସୁଛି । ଏଭଳି ଠକେଇ ଏଡ଼ାଇବାକୁ ସତର୍କ ରହିବା ପାଇଁ ପୋଲିସ ପରାମର୍ଶ ଦେଇଛି ।