କୋଣାର୍କରେ ଲାଗିଛି ହବିଷ୍ୟାଳୀଙ୍କ ଭିଡ଼

କୋଣାର୍କ: ପବିତ୍ର କାର୍ତ୍ତିକ ମାସରେ ଚଳଚଞ୍ଚଳ ତୀର୍ଥସ୍ଥଳୀ । ପ୍ରମୁଖ ତୀର୍ଥ ସ୍ଥଳୀ କୋଣାର୍କ ଚନ୍ଦ୍ରଭାଗାରେ ଲାଗିଛି ହବିଷିଆଳୀ ମାନଙ୍କର ଭିଡ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଘର ଛାଡି ଚନ୍ଦ୍ରଭାଗା ସ୍ଥିତ ହନୁମାନ ମନ୍ଦିର ଓ ସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ରହି ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ।

ଚାଲିଛି ପବିତ୍ର କାର୍ତ୍ତିକ ମାସ । କୋଣାର୍କରେ ଲାଗିଛି ହବିଷିଆଳୀଙ୍କ ଭିଡ଼ । ସକାଳ ହେବା କ୍ଷଣି ପୂଜା ପାଠ ସାଙ୍ଗକୁ ଭଜନ ଜଣାଣ ହୁହୁହୁଳିରେ କମ୍ପୁଛି ପରିବେଶ । ବିଶ୍ଵାସ ରହିଛି ଅର୍କକ୍ଷେତ୍ରରେ ପୂଜାର୍ଚ୍ଚନା କରିବା ଦ୍ବାରା ପରିବାରର ମଙ୍ଗଳ ହୋଇଥାଏ । ଏହି ବିଶ୍ବାସ ଶତାଧିକ ମହିଳାଙ୍କୁ କୋଣାର୍କ ଟାଣି ଆଣିଛି । ସମସ୍ତ ହବିଷିଆଳୀମାନେ ଚନ୍ଦ୍ରଭାଗା ସ୍ଥିତ ହନୁମାନ ମନ୍ଦିର ଓ ସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ରହି ଅତ୍ୟନ୍ତ ନିଷ୍ଠାର ସହିତ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ।

ହିନ୍ଦୁ ଧର୍ମ ପରମ୍ପରାରେ ପବିତ୍ର କାର୍ତ୍ତିକ ମାସରେ ଚନ୍ଦ୍ରଭାଗାରେ ସ୍ନାନକଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ । ହବିଷିଆଳୀ ମାନେ ସ୍ନାନ ପରେ ସୂର୍ଯ୍ୟପୂଜା, ଚଉରା ମୂଳରେ ଚିତା ପକାଇ ବୃନ୍ଦାବତୀଙ୍କ ଆରାଧନା, ରାଧା ଦାମୋଦର ପୂଜା ,ଲକ୍ଷ୍ମୀ ନାରାୟଣ ପୂଜା , ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ସକାଳ ସନ୍ଧ୍ୟାରେ କାର୍ତ୍ତିକ ପୁରାଣ ପାଠ କରିଥାନ୍ତି । ପିତୃ ପୁରୁଷ , ସମସ୍ତ ଦେବାଦେବୀଙ୍କ ଉଦେଶ୍ୟରେ ଆକାଶ ଦୀପ ଲଗାଇ ଚଉରା ମୂଳରେ ସନ୍ଧ୍ୟା ଆଳତି ଓ ଭଜନରେ ମସଗୁଲ ରହିଥାନ୍ତି ।