ଆସନ୍ତାକାଲିଠାରୁ ଧର୍ମମାସ କାର୍ତ୍ତିକ: ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼

କାଲିଠୁ ଧର୍ମମାସ କାର୍ତ୍ତିକ । ସଂକଳ୍ପ କରି ରାଧାଦାମୋଦର ପୂଜା କରିବେ ହବିଷ୍ୟାଳି । ମହାପ୍ରଭୁଙ୍କୁ ଦର୍ଶନ କରି ପାଳିବେ ବ୍ରତ । ଏଥିପାଇଁ ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼ । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପରେ କରାଯାଇଛି ସ୍ବତନ୍ତ୍ର ଶିବିର । ବ୍ରତଧାରୀଙ୍କ ମହାପ୍ରସାଦ ସେବନ, ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ତୀର୍ଥ ପୁଷ୍କରିଣୀରେ ସ୍ନାନ ନେଇ ହୋଇଛି ବ୍ୟବସ୍ଥା । ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି । ସୁରକ୍ଷା ନେଇ ୨୨ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫ ଇନ୍ସପେକ୍ଟର, ୬୫ ସବ ଇନ୍ସପେକ୍ଟର, ଶହଜଣ କନଷ୍ଟେବଳ ମୁତୟନ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

ପୁରୀରେ ମହାପ୍ରଭୁଙ୍କ ସାନିଧ୍ୟ ନେଇ ବ୍ରତ ପାଳିବେ ହବିଷ୍ୟାଳି । ମାଗଣାରେ ସୁବିଧା ପାଇବା ସହ ବ୍ରତ ପାଳିବାକୁ ସମସ୍ତଙ୍କ ମନରେ ରହିଛି ଉତ୍କଣ୍ଠା । ଅନ୍ୟପକ୍ଷରେ କିଛି ବ୍ରତଧାରୀ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିଛି ଘଣ୍ଟା ପାଇଁ ପଞ୍ଜିକରଣ ହେଉଥିବାରୁ ଅନେକ ଏଥିରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ବ୍ରତପାଳନ ପାଇଁ ସେମାନେ ପୁରୀ ପହଞ୍ଚିଥିବା ବେଳେ ଯୋଜନାରେ ଅନ୍ତର୍ଭୂକ୍ତ କରିବାକୁ ଦାବି କରିଛନ୍ତି । ଧର୍ମମାସ କାର୍ତ୍ତିକରେ ମହାପ୍ରସାଦ ସେବନ କରି ହବିଷ ବ୍ରତ ପାଳନର ସ୍ୱତନ୍ତ୍ରତା ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅହେତୁକ ଭିଡ଼ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।