କେତେ ଘାତକ H3N2 ଭାଇରସ୍? କେମିତି ବର୍ତ୍ତିବେ ଭାଇରସ୍ କବଳରୁ

1 min read

ନୂଆଦିଲ୍ଲୀ: ସାରା ଦେଶରେ H3N2 ଭାଇରସ୍ କାୟା ମେଲାଇବାରେ ଲାଗିଛି । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟ୍ ସମେତ ଅନେକ ରାଜ୍ୟରେ ଏହି ଭାଇରସ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ସଂକ୍ରମଣରେ ଅନେକ ଲୋକଙ୍କ ଜୀବନ ଗଲାଣି । ଡାକ୍ତରଙ୍କ ମତରେ  H3N2 ଭାଇରସ୍ ବହୁତ ସଂକ୍ରାମକ । ତେବେ ଜାଣନ୍ତୁ ଏହା ସମ୍ପର୍କରେ…

ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ପ୍ରିଭେନଟିଭ୍ ହେଲଥ ଡିପାର୍ଟମେଣ୍ଟର ଡାଇରେକ୍ଟରଙ୍କ ମତରେ H3N2 ଭାଇରସ୍ ଇନଫ୍ଲୁଏଞ୍ଜା ଏ’ର ସବଟାଇପ୍ । ଏହା ଏକ ଭାଇରାଲ୍ ଇନଫେକସନ୍ । ଯାହା ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ଖୁବ୍ ଶୀଘ୍ର ବ୍ୟାପିଥାଏ । ଏହି ସଂକ୍ରମଣ ହେଲେ ଥଣ୍ଡା, ଜ୍ୱର, ତଣ୍ଟି ଦରଜ, ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା, କାଶ, ଛିଙ୍କ, ଦେହ ଦରଜ ଭଳି ଲକ୍ଷଣ ଦେଖାଯାଇଥାଏ । କାଶ, ଛିଙ୍କ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଖୁବ୍ ଶୀଘ୍ର ବ୍ୟାପିଥାଏ । ଏହା ଶରୀରର ହ୍ୱାଇଟ୍ ବ୍ଲଡ୍ ସେଲକୁ କ୍ଷତି ପହଞ୍ଚାଇଥାଏ । ଯେଉଁମାନଙ୍କର ଇମ୍ୟୁନିଟି ପାୱାର କମ୍ କିମ୍ବା ଗଭୀର ରୋଗରେ ପିଡିତ ସେମାନେ ଏହି ସଂକ୍ରମଣରୁ ନିହାତି ବର୍ତ୍ତିବା ଉଚିତ୍ ।

କେଉଁ ରୋଗୀ ରହିବେ ସାବଧାନ

ଡାକ୍ତରଙ୍କ କହିବାନୁଯାୟୀ, ଖାସକରି ବ୍ଲଡ ପ୍ରେସର, ମହୁମେହ, ଆଜମା, ନିଶ୍ୱାସ ପ୍ରଶ୍ୱାସ ରେ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଘାତକ ହୋଇପାରେ H3N2 ଭାଇରସ୍ । ଏଭଳି ବ୍ୟକ୍ତିଙ୍କୁ ସଂକ୍ରମଣ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଏହି ଭାଇରସରେ ସଂକ୍ରମିତ ହେଲେ ଠିକ୍ ହେବାକୁ ପ୍ରାୟ ଏକ ସପ୍ତାହ ଲାଗିଥାଏ । ହେଲେ ୩ରୁ ୪ ସପ୍ତାହ ଲାଗିଥାଏ କାଶ ଠିକ୍ ହେବା ପାଇଁ । ସଂକ୍ରମଣର ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଇଥାଏ । କିନ୍ତୁ ଡାକ୍ତରଙ୍କ ବିନା ଅନୁମତିରେ  ଆଣ୍ଟିବାୟୋଟିକ୍ ଖାଇବା ଅନୁଚିତ୍ ।

କେମିତି ବର୍ତ୍ତିବେ ଭାଇରସ୍ କବଳରୁ

ସଂକ୍ରମିତ ଲୋକଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ । ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରନ୍ତୁ । ଯଥାସମ୍ଭବ ପାଣି ପିଅନ୍ତୁ ଏବଂ ହାତ ସାନିଟାଇଜ କରନ୍ତୁ ।