ଖୁବଶୀଘ୍ର କଳିଙ୍ଗରେ ଜିମ୍ନାଷ୍ଟିକ୍‌ ସେଣ୍ଟର, ୫ ଓ ୬ରେ ପ୍ରଥମ ଟ୍ରାଏଲ ମ୍ୟାଚ୍‌

ଭୁବନେଶ୍ବର: ଖୁବଶୀଘ୍ର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉଦଘାଟିତ ହେବ ଦେଶର ସର୍ବଶ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର । ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରକୁ ଅତ୍ୟାଧୁନିକ ଭାବରେ ନିର୍ମାଣ କରାଯାଇଥିବାବେଳେ ଏଥିରେ ବିଦେଶୀ ସରଞ୍ଜାମ ଲଗାଯାଇଛି । ୪୦୦ ଦର୍ଶକ କ୍ଷମତା ବିଶିଷ୍ଟ ସେଣ୍ଟରରେ ସେଣ୍ଟ୍ରାଲ ଏସି ସୁବିଧା ରହିଛି ।

ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଆସନ୍ତା ୫ ଓ ୬ ତାରିଖରେ ଏଠାରେ ଏସିଆନ ଜୁନିଅର ଓ ଏସିଆନ ସିନିଅର ଚାମ୍ପିଅନସିପ ପାଇଁ ଟ୍ରାଏଲ ହେବ । ଯେଉଁଥିରେ ଦେଶର ବଛା ବଛା ଜିମ୍ନାଷ୍ଟିକ ଖେଳାଳି ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିଅମରେ ଜିମ୍ନାଷ୍ଟିକ ଏଚପିସି ନିର୍ମାଣ ହୋଇଥିବାବେଳେ ଆସନ୍ତା ୭ ଓ ୮ ତାରିଖରେ ଜିମ୍ନାଷ୍ଟିକ ଏଚପିସି ପାଇଁ ମଧ୍ୟ ଟ୍ରାଏଲ ହେବ ।

ଏଥିରେ ୧୫୦ରୁ ଅଧିକ ଜିମ୍ନାଷ୍ଟିକ ଖେଳାଳି ଯୋଗଦେବା କାର୍ଯ୍ୟକ୍ରମ ରହିଛି । ତେବେ ଜିମ୍ନାଷ୍ଟିକ ସେଣ୍ଟର ଓ ଏଚପିସି ପାଇଁ ୫ ଜଣ କୋଚଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ଜାପାନର ଜଣାଶୁଣା ଜିମ୍ନାଷ୍ଟିକ କୋଚ ସାମିଲ ଅଛନ୍ତି । ସେହିପରି ଏଚପିସି ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବେ ବିଶ୍ବବିଖ୍ୟାତ ଷ୍ଟିଭ ବୁଚେରଙ୍କୁ ନିଯୁକ୍ତି ମିଳିଛି ।