ଜ୍ଞାନବ୍ୟାପୀରେ ମିଳିଥିବା କଥିତ ଶିବଲିଙ୍ଗର କାର୍ବନ ଡେଟିଂ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ପରିସରରୁ ମିଳିଥିବା କଥିତ ଶିବଲିଙ୍ଗର ସାଇଣ୍ଟିଫିକ୍ ସର୍ଭେ ଏବଂ କାର୍ବନ ଡେଟିଂ ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇ ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାରେ ସତର୍କତାର ସହ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ହାଇକୋର୍ଟଙ୍କ ଆଦେଶକୁ ଅତି ସାବଧାନତାର ସହ ଯାଞ୍ଚ କରିବାକୁ ହେବ । ଏହା ପରେ ଯାଇ କିଛି ନିଷ୍କର୍ଷରେ ପହଞ୍ଚିବା ।

ହାଇକୋର୍ଟଙ୍କ ରାଏ ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍ ନରସିହା ଏବଂ ଜେବି ପାରିଦୱାଲାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଗତ ୧୨ ତାରିଖରେ କଥିତ ଶିବଲିଙ୍ଗର କାର୍ବନ ଡେଟିଂ ଏବଂ ସାଇଣ୍ଟିଫିକ୍ ସର୍ଭେ କରିବା ନେଇ ଆଦେଶ ଦେଇଥିଲେ ହାଇକୋର୍ଟ । ଏହି ସର୍ଭେ ଦ୍ୱାରା ଏହା କେତେ ବର୍ଷର ଶିବଲିଙ୍ଗ ସେନେଇ ଜଣାପଡ଼ିଥାନ୍ତା । ମସଜିଦ୍ ପୂର୍ବରୁ ଏଠି ଶିବମନ୍ଦିର ଥିବା କଥା ଦାବି କରି ଆସୁଛନ୍ତି ହିନ୍ଦୁ ପକ୍ଷ ।