ଜ୍ଞାନବାପି ମସଜିଦର ସର୍ଭେ କାର୍ଯ୍ୟ ଆରମ୍ଭ କଲା ASI, ସର୍ଭେ ପାଇଁ ଗ୍ରୀନ ସିଗନାଲ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଆଜିଠାରୁ ଜ୍ଞାନବାପି ମସଜିଦରେ ସର୍ଭେ କାର୍ଯ୍ୟ ଆରମ୍ଭ କରିବ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା । ଏକ ମନ୍ଦିର ଉପରେ ମସଜିଦ ନିର୍ମିତ ହୋଇଛି କି ନାହିଁ ତାହା ଉପରେ ସର୍ଭେ କରିବ ଏଏସଆଇ । ଜ୍ଞାନବାପି ମସଜିଦରେ ସର୍ଭେ ଜାରି ରହିବ ବୋଲି ଗ୍ରୀନ ସିଗନାଲ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ମୁସଲିମ ପକ୍ଷ ପିଟିସନ ଖାରଜ କରିବା ସହ ଜିଲ୍ଲା କୋର୍ଟଙ୍କ ଫଇସଲାକୁ ହାଇକୋର୍ଟ କାଏମ ରଖିଥିଲେ । ଏଏସଆଇର ସର୍ଭେ ଉପରେ ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଥିଲେ । ସର୍ଭେ ବେଳେ ଜ୍ଞାନବାପି ମସଜିଦ ପରିସରରେ କୌଣସି କ୍ଷୟକ୍ଷତି ଯେପରି ନହୁଏ, ତା’ଉପରେ ଧାନ ରଖିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।

ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବାପି ମସଜିଦ ଅବସ୍ଥିତ ଥିବାବେଳେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ମସଜିଦ ପରିସରରେ ପୂଜାର୍ଚ୍ଚନା କରିବା ଲାଗି ଅନୁମତି ଦେବା ସକାଶେ ଏକ ନିମ୍ନକୋର୍ଟରେ କିଛି ମହିଳା ଆବେଦନ କରିବା ପରେ ଏହି ବିବାଦ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲା । ଗତବର୍ଷ ମସଜିଦ ପରିସରରେ ଏକ ଭିଡିଓ ସର୍ଭେ ଲାଗି କୋର୍ଟ ଆଦେଶ ଦେଇଥିଲେ । ସର୍ଭେ ବେଳେ ମସଜିଦ ପରିସରରେ ଏକ ଶିବଲିଙ୍ଗ ପରି ଏକ ଜିନିଷ ଥିବା କୁହାଯାଇଥିଲା । ଗତ ସେପ୍ଟେମ୍ବର ୨୦୨୨ରେ ପୂଜାର୍ଚ୍ଚନା କରିବା ଲାଗି ଅନୁମତି ନଦେବାକୁ ମସଜିଦ କମିଟିର ଏକ ପିଟିସନକୁ ଖାରଜ କରିଥିଲେ ବାରାଣସୀ ଜିଲ୍ଲା କୋର୍ଟ ।