ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନନ୍ଦିଘୋଷ ବ୍ୟୁରୋ: ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ  ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଜ୍ଞାନେଶ କୁମାର ହେଉଛନ୍ତି ୧୯୮୮ ବ୍ୟାଚ କେରଳ କ୍ୟାଡର ଆଇଏଏସ । ସେ କେନ୍ଦ୍ର ଗୃହମନ୍ତ୍ରାଳୟରେ କାର୍ଯ୍ୟ କରିଛନ୍ତି । ଗତବର୍ଷ ଜାନୁଆରୀ ୩୧ରେ ସେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ । ସେ ସଂସଦୀୟ ବ୍ଯାପାର ବିଭାଗ ସଚିବ ପଦ ବି ସମ୍ଭାଳିଥିଲେ । ବହୁ ଚର୍ଚ୍ଚିତ ଅଯୋଧ୍ଯା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କାର୍ଯ୍ୟାବଳୀର ସମୀକ୍ଷା ଲାଗି ୨୦୨୦ରେ ତାଙ୍କୁ ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ଚଳିତବର୍ଷ ବିହାର, ଆସନ୍ତାବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଇସିଙ୍କ ଗୁରୁତ୍ବ ବଢିଛି । ସେପଟେ ଆଜି ଦାୟିତ୍ଵରୁ ଅବସର ନେବେ ରାଜୀବ କୁମାର।  ଗତ ମେ ୨୦୨୨ରେ ରାଜୀବ କୁମାରଙ୍କୁ ସିଇସି ପଦରେ ଅଭିଷିକ୍ତ କରାଯାଇଥିଲା । ରାଜୀବଙ୍କ ଅମଳରେ ହାଇପ୍ରୋଫାଇଲ ୨୦୨୪ଲୋକସଭା ନିର୍ବାଚନ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ଯପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ହରିୟାଣା, ଝାଡଖଣ୍ଡ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଆଦି ରାଜ୍ଯରେ ନିର୍ବାଚନ ହୋଇଥିଲା ।  ସିଇସି ପଦ ଲାଗି ପ୍ରାୟ ୪୮୦ଜଣଙ୍କ ନାଁ ଆସିଥିବା ବେଳେ ଜ୍ଞାନେଶ କୁମାରଙ୍କ ନାଁ ଚୟନ କରାଯାଇଛି ।