ତଥ୍ୟ ନଦେବାରୁ ହ୍ବାଟ୍ସଆପ ବିରୋଧରେ ଏତଲା ଦେଲା ଗୁରୁଗ୍ରାମ ପୋଲିସ

ଗୁରୁଗ୍ରାମ: ହ୍ବାଟ୍ସଆପ୍ ବିରୋଧରେ ଗୁରୁଗ୍ରାମ ପୋଲିସର ଏତଲା ଦାୟର । ମାମଲାର ସୂଚନା ନ ଦେବାରୁ ହ୍ବାଟ୍ସଆପ୍ ବିରୋଧରେ ଏହି ପଦକ୍ଷେପ ନେଇଛି ପୋଲିସ । ସରକାରୀ କର୍ମଚାରୀଙ୍କ ଆଦେଶ ନ ମାନିବା, ଅଭିଯୁକ୍ତକୁ ସୁରକ୍ଷା ଦେବା, ପ୍ରମାଣ ନଷ୍ଟ କରିବା ଭଳି ଦଫା ଲାଗିଛି ହ୍ଵାଟ୍ସଆପ୍ ନିର୍ଦ୍ଦେଶକ ଓ ଏହାର ନୋଡାଲ ଅଫିସରଙ୍କ ବିରୋଧରେ ।

ମେ’ ୧୭ ତାରିଖରେ ଗୁରୁଗ୍ରାମର ସାଇବର ଥାନାରେ ଏକ ଠକେଇ ଓ ଅପରାଧ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତର ୪ଟି ହ୍ବାଟ୍ସଆପ୍ ଆକାଉଣ୍ଟ ରହିଛି । ସେସବୁର ତଥ୍ୟ ମାଗିଥିଲା ପୋଲିସ । ହେଲେ ତଥ୍ୟ ଦେବା ବଦଳରେ ହ୍ବାଟ୍ସଆପ୍ ସ୍ପଷ୍ଟୀକରଣ ମାଗିଥିଲା ।

କାହିଁକି ସୂଚନା ଦରକାର, ତାହା ଦର୍ଶାଇ ଦ୍ଵିତୀୟ ଥର ନୋଟିସ୍ କରିଥିଲା ଗୁରୁଗ୍ରାମ ପୋଲିସ । ଏହା ସତ୍ତ୍ଵେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଓ ପ୍ରାଇଭେସି ପଲିସି ଦର୍ଶାଇ ତଥ୍ୟ ଦେଇ ନଥିଲା ହ୍ବାଟ୍ପଆପ୍ । ଏହା ପରେ ଗୁରୁଗ୍ରାମ ପୋଲିସ ହ୍ବାଟ୍ସଆପ୍ ବିରୋଧରେ ଏତଲା ରୁଜୁ କରିଛି ।