ଜାଣନ୍ତୁ ଗୁପ୍ତ ଶ୍ରୀକ୍ଷେତ୍ର ସମ୍ପର୍କରେ ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ସମସ୍ତେ ଶ୍ରୀକ୍ଷେତ୍ର ଜାଣିଛନ୍ତି କିନ୍ତୁ ଏଠି ରହିଛି ଗୁପ୍ତ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରୁ ଆସି ୧୫ ବର୍ଷ ଗୁପ୍ତରେ ଏଠି ପୂଜା ପାଇଥିଲେ ଜଗନ୍ନାଥ । ସେବେଠାରୁ କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ତିଗିରିଆ ବ୍ଳକରେ ଜଗନ୍ନାଥ ମନ୍ଦିରରେ ପ୍ରସନ୍ନମଣି ପୁରୁଷୋତ୍ତମ ଦେବ ନାମରେ ପୂଜା ପାଉଛନ୍ତି ପ୍ରଭୁ।

ଜଗନ୍ନାଥ ସେ ଲୀଳାମୟ, ସେ ଅନନ୍ତ, ସେ ବିସ୍ମୟ, ସେ ବିନ୍ଦୁ, ସେ ସିନ୍ଧୁ । ସେ ଭାବ ବିନୋଦିଆ । କୋଟି ଓଡିଆଙ୍କ ମଉଡମଣି । ତାଙ୍କର ଲୀଳାଖେଳ ଅନନ୍ଯ । ସେ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପର ପୂଜା ପାଇଆସୁଛନ୍ତି । ସେଥିମଧ୍ଯରୁ କଟକ ଜିଲ୍ଲା ଆଠଗଡ ତିଗିରିଆ ବ୍ଲକର ଗୁପ୍ତ ଶ୍ରୀକ୍ଷେତ୍ର ଅନ୍ଯତମ । ପୁରୀରୁ ଆସି ୧୫ ବର୍ଷ ଏଠାରେ ଗୁପ୍ତ ଭାବେ ପୂଜା ପାଇଥିଲେ ମହାପ୍ରଭୁ । କିମ୍ବଦନ୍ତୀ ଅନୁସାରେ ୧୬୯୨ ରୁ ୧୭୦୭ ମସିହା ପ୍ରାୟ ୧୫ ବର୍ଷ ମହାପ୍ରଭୁଙ୍କୁ ଗୁପ୍ତରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା ।

ସେତେବେଳେ ଦିଲ୍ଲୀର ସମ୍ରାଟ ଔରଙ୍ଗଜେବ ବଙ୍ଗ ନବାବଙ୍କୁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଙ୍ଗ ନବାବଙ୍କର ସେନାପତି ଆକ୍ରମ ଖାଁ ପୁରୀ ଉପରେ ଆକ୍ରମଣ କରିବାକୁ ଆସିଥିଲେ । ଫଳରେ ମୋଗଲ ଆକ୍ରମଣରୁ ଜଗନ୍ନାଥ ମହାପ୍ରଭୁଙ୍କୁ ସୁରକ୍ଷିତ ରଖିବା ପାଇଁ ସେଠାରେ ଏକ ଚନ୍ଦନ କାଠର ବିଗ୍ରହକୁ ରଖା ଯାଇଥିଲା   ଓ ପ୍ରକୃତ ଜଗନ୍ନାଥଙ୍କ ବିଗ୍ରହଙ୍କୁ ତିଗିରିଆ ସୁଣ୍ଠିପାଳଠାରେ ରଖାଯାଇ ଗୁପ୍ତରେ ପୂଜା କରାଯାଉଥିଲା । ପରେ ତିଗିରିଆ ରାଜବାଟୀ ପରିସର ମନ୍ଦିରରେ ଲୁଚାଇ ରଖାଯାଇଥିଲା । ସେବେଠାରୁ ଏହି ଗୁପ୍ତ ଶ୍ରୀକ୍ଷେତ୍ରରେ ପ୍ରଭୁ ପ୍ରସନ୍ନ ପୁରୁଷୋତ୍ତମ ଦେବ ନାମରେ ପୂଜା ପାଉଛନ୍ତି ।

ଗୁପ୍ତ ଶ୍ରୀକ୍ଷେତ୍ରକୁ ରାଜା ବନମାଳି ଚମ୍ପତ୍ତି ସିଂହ ମହାପାତ୍ର ପ୍ରତିଷ୍ଠା କରିଥିଲେ । ମନ୍ଦିରର ଉଚ୍ଚତା ୧୦୦ ଫୁଟ ଏବଂ ନୀଳଚକ୍ରର ଉଚ୍ଚତା ୧୪ ଫୁଟ ରହିଛି । ଏହି ମନ୍ଦିରର କାରୁକାର୍ଯ୍ୟ ଓ ପରିବେଶ ବେଶ ମନୋହର । ପୁରୀ ମନ୍ଦିର ନୀତିକାନ୍ତି ଏବଂ ଏହି ମନ୍ଦିରର ନୀତିକାନ୍ତି ପ୍ରାୟ ସମାନ । ଶ୍ରୀକ୍ଷେତ୍ରର ରଥଯାତ୍ରା ପରଦିନ ଏଠାରେ ରଥଯାତ୍ରା ହୁଏ । ଏବଂ ଶ୍ରୀକ୍ଷେତ୍ରର ବାହୁଡ଼ା ଯାତ୍ରାର ପରଦିନ ଏଠାରେ ହୁଏ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ ।

କାରଣ ତିଗିରିଆ ରାଜା ଶ୍ରୀକ୍ଷେତ୍ର ରଥଯାତ୍ରାରେ ସେବକ ଭାବେ ପରିଚ୍ଛା ସେବା କରୁଥିଲେ । ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସେବା କରି ଆସିବା ପରେ ଏଠାରେ  ରଥଯାତ୍ରା କରିଥାନ୍ତି । ଆଜିର ସମୟରେ ରାଜା ନାହାଁନ୍ତି ସତ କିନ୍ତୁ ପରମ୍ପରା ବଞ୍ଚିଛି । ବର୍ତ୍ତମାନର ରାଜା ବୀରପ୍ରତାପ କ୍ଷେତ୍ରୀୟ ବୀରବର ଚମ୍ପତ୍ତି ସିଂହ ମହାପାତ୍ର ମହାପ୍ରଭୁଙ୍କ ସେବା କରୁଛନ୍ତି।