ମହାଲକ୍ଷ୍ମୀଙ୍କ ପ୍ରତିଶ୍ରୁତି ରଖିଲେ ମହାପ୍ରଭୁ, କଲେ ଗୁପ୍ତ ଗୁଣ୍ଡିଚା ଯାତ୍ରା

ପୁରୀ : ଆଜିଠାରୁ ଆରମ୍ଭ ଗୁପ୍ତଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୂର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ଗୁପ୍ତଗୁଣ୍ଡିଚା । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମାଆ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି। ମାଆ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ନେଇନଥିବା ବେଳେ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ। ତେବେ ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

ଶ୍ରୀକ୍ଷେତ୍ରରେ ଦୀର୍ଘ ଆଠ ଦିନ ଧରି ଗୁପ୍ତ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରରୁ ଶ୍ରୀ ଦୁର୍ଗାମାଧବ ଦୋଳମଣ୍ଡପ ସାହି ସ୍ଥିତ ମା ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଷୋଳ ପୂଜାର ଶେଷ ଆଠ ଦିନ ଧରି ଏହି ପୀଠଟି ଚଳଚଞ୍ଚଳ ହୋଇଉଠେ। ରତ୍ନ ସିଂହାସନରୁ ମାଧବ ଓ ଦକ୍ଷିଣୀ ଘରୁ ମା ଦୁର୍ଗାଙ୍କ ମୂର୍ତ୍ତି ଗୋଟିଏ ରଥାକୃତି ବିମାନରେ ରୁନ୍ଧା ହୋଇ ଗୁପ୍ତ ଗୁଣ୍ଡିଚାରେ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଏଠାରେ କିଛି ସମୟ ଅବସ୍ଥାନ କରି ବିଭିନ୍ନ ବନ୍ଦାପନା, ଭୋଗ ଓ ଆଳତି ପରେ ଏକ ପାଲିଙ୍କିରେ ଶ୍ରୀମନ୍ଦିରକୁ ଫେରି ଯାଆନ୍ତି ।