ଟମାଟୋ କିଲୋ ପିଛା ୨ ରୁ ୩ ଟଙ୍କାରେ ହେଉଛି ବିକ୍ରି, ମୁଣ୍ଡରେ ହାତ ଦେଲେ ଚାଷୀ

ଗୁଣୁପୁର : ଟମାଟୋ ଦର ବୃଦ୍ଧିକୁ ନେଇ କିଛିମାସ ତଳେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ଟମାଟୋ ଦର ଏତେ ମାତ୍ରାରେ କମିଛି ଯେ ଯାହାକି ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ରାୟଗଡା ଜିଲ୍ଲା ଗୁଣୁପୁର ବଜାରରେ ଦୁଇରୁ ତିନି ଟଙ୍କାରେ କେଜିଏ ଟମାଟୋ ବିକ୍ରି କରୁଛନ୍ତି ଚାଷୀ । ଗୋଟିଏ  ୨୫ କେଜିଆ ଟ୍ରେ ଭର୍ତ୍ତି ଟମାଟୋ ୭୦ ଟଙ୍କାରେ ଚାଷୀ ବିକ୍ରି କରୁଛନ୍ତି । ଅଞ୍ଚଳରେ ଅମଳ ଫସଲକୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାରଟିଏ ନଥିବାରୁ ଚାଷୀ ବଜାରରେ ଟମାଟୋକୁ କମ ଦରରେ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଗୋଟିଏ ପଟେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଦଲାଲ ବେପାରୀ ମାନେ ମାଲାମାଲ ହେଉଛନ୍ତି । ହେଲେ ଏପର୍ଯ୍ଯନ୍ତ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କୈାଣସି ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ପନିପରିବା ସଂରକ୍ଷଣ ନିମନ୍ତେ ଶୀତଳଭଣ୍ଡାରଟିଏ ନିର୍ମାଣ କରିବାକୁ ଚାଷୀ ଦାବି କରିଛନ୍ତି । ଏପଟେ ଚାଷୀଙ୍କ ସମସ୍ଯା ନେଇ ଆମ ନଜର ରହିଥିବା ନେଇ କହିଛନ୍ତି ଗୁଣୁପୁର ନିୟନ୍ତ୍ରିତ ବଜାର କମିଟି ସଂମ୍ପାଦକ । ବିଭାଗ ପକ୍ଷରୁ ଚାଷୀଙ୍କ ନିମନ୍ତେ ସୋଲାର ମାଧ୍ୟମରେ ଶୀତଳଭଣ୍ଡାର କରାଯିବାର ବ୍ୟବସ୍ଥା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଯଦି ଏହାର ଅନୁମୋଦନ ହୁଏ ତେବେ ଅତିଶୀଘ୍ର କାମ କରାଯିବ ବୋଲି କହିଛନ୍ତି। ଅଭାବୀ ବିକ୍ରିକୁ ନେଇ ଚାଷୀର ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଚାଷୀଙ୍କୁ କେବେ ସରକାରୀ ପ୍ରତ୍ସାହନ ମିଳୁଛି ତାହା ଦେଖିବାକୁ ବାକି ରହିଲା ।