ଅନ୍ବେଷା ହଷ୍ଟେଲରେ ରହୁଥିବା ପିଲାଙ୍କ ଉତ୍ତମ ଶିକ୍ଷା ଓ ଶୃଙ୍ଖଳା ଦାୟିତ୍ବ କାହାର ?

ଗୁଣୁପୁର : ଗୁଣୁପୁର ତହସିଲ୍ ଅଫିସ୍ ନିକଟରେ ଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲରେ ଅଷ୍ଟମ,ନବମ,ଦଶମ ଶ୍ରେଣୀ ଛାତ୍ରମାନେ ରୁହନ୍ତି । ହେଲେ ପାଠ,ଶୃଙ୍ଖଳା ଛଡା ଏଠି ସବୁ ଚାଲିଛି । ସିନିୟର ଛାତ୍ରମାନେ ଛୋଟଛୋଟ ପିଲାଙ୍କୁ ନିସ୍ତୁକ ମାଡ ମାରୁଛନ୍ତି । ହାତରେ, ବାଡିରେ,ଲୁହା ରଡରେ ମରଣାନ୍ତକ ଆକ୍ରମଣ କରାଯାଉଛି । ଅନ୍ୟଜଣେ ଛାତ୍ର ଏହାକୁ ମୋବାଇଲରେ ରେକର୍ଡିଂ କରୁଛନ୍ତି । ମାଡମାରୁଥିବା ବେଳର ଦୃଶ୍ୟ ଏତେ ସାଂଘାତିକ ଯେ, ଆମେ ଏହାର ସଂପୂର୍ଣ୍ଣ ଦୃଶ୍ୟ ପ୍ରସାରଣ କରିପାରୁନାହୁଁ । କାରଣ ଏହି ଭିଡିଓ ଦେଖିବା ପରେ, ଯେ କୌଣସି ଲୋକଙ୍କ ମନ ବିଚଳିତ ହୋଇଯିବ । ଏହି ଦୃଶ୍ୟ ଦେଖି ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ଅବିଭାବକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରିକି ହଷ୍ଟେଲ ଛାତ୍ରମାନେ ବିଳମ୍ବିତ ରାତ୍ରିରେ ଉପରମହଲାରୁ ବିପଦସଙ୍କୁଳ ଭାବେ ଝରକାକୁ ଫାଙ୍କ କରି ଓହ୍ଲାଇବା ସହ ବାହାରକୁ ଯାଉଥିବା ଦୃଶ୍ୟ ଭିଡିଓରେ କଏଦ ହୋଇଛି। ଏବେ ପ୍ରଶ୍ନ ଉଠୁଛି । ଆକ୍ରମଣ ବେଳେ ଯଦି କୌଣସି ଛାତ୍ର ଅକ୍ରମଣ୍ୟ ହୋଇଯାଏ କିମ୍ବା ମୃତ୍ୟୁ ବରଣ କରେ ସେଥିପାଇଁ କିଏ ଦାୟୀ ରହିବ ? ଜିଲ୍ଲାପ୍ରଶାସନ ସବୁ ଜାଣି ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ? ଆକ୍ରମଣକାରୀ ପିଲାଙ୍କ ବିରୋଧରେ କାହିଁକି ହେଉନି କଠୋର କାର୍ଯ୍ୟାନୁଷ୍ଠାନ ? ଶହେ ପିଲାଙ୍କୁ ନିୟନ୍ତ୍ରଣ କରିବାକୁ ଜଣେ ମହିଳା ସୁପରିଟେଣ୍ଡଣ୍ଟ ଯଥେଷ୍ଟ କି ? ଅନ୍ବେଷା ହଷ୍ଟେଲରେ ରହୁଥିବା ପିଲାଙ୍କ ଉତ୍ତମ ଶିକ୍ଷା ଓ ଶୃଙ୍ଖଳା ଦାୟିତ୍ବ କାହାର ?
ଏବେ ଦେଖିବା କଣ ଏହି ଅନ୍ବେଷା ହଷ୍ଟେଲ । ରାଜ୍ୟ ସରକାରଙ୍କ ପକ୍ଷରୁ ଦୂରଦୁରାନ୍ତରେ ରହୁଥିବା ଛାତ୍ର ମାନଙ୍କୁ ସହରାଞ୍ଚଳରେ ଶିକ୍ଷା ଲାଭ କରିବା ସହ ମାଗଣା ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଏହି ଛାତ୍ରମାନଙ୍କୁ ସମସ୍ତ ସୁବିଧା ଦେଇ ଗୋଟିଏ ହଷ୍ଟେଲରେ ରଖାଯାଉଛି । ଏହି ଅନ୍ବେଷା ହଷ୍ଟେଲର ଦାୟିଦ୍ବରେ ଜିଲ୍ଲା ମଙ୍ଗଳ ଅଧିକାରୀ ରହୁଥିବା ବେଳେ, ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହୁଛି ହଷ୍ଟେଲ । ହଷ୍ଟେଲରେ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ଅନୁସୁଚିତ ଜାତି ଓ ଜନଜାତି ପିଲାଙ୍କୁ ହଷ୍ଟେଲରେ ରଖାଯିବା ସହ ଉଚ୍ଚଶିକ୍ଷା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ସହରାଞ୍ଚଳ ଶିକ୍ଷା ଯୋଜନାରେ ହଷ୍ଟେଲ୍ ରେ ଛାତ୍ର ମାନେ ରହି ବିଭିନ୍ନ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ଅର୍ଜନ କରିବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଭିଡିଓ ଦେଖିଲେ ଛାତ୍ର ମାନେ କିଭଳି ଶିକ୍ଷା ଅର୍ଜନ କରୁଛନ୍ତି ତାହା ଷ୍ପଷ୍ଟ ଅନୁମେୟ। ସେପଟେ ହଷ୍ଟେଲରେ ଛାତ୍ରମାନଙ୍କୁ ଦୀର୍ଘ ଦିନ ଧରି ନିର୍ଯ୍ୟାତନା ଦିଆଯାଉଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା, ଭିଡିଓ ସୋସିଆଲ ମିଡିଆରେ ପ୍ରଘଟ ହେବାପରେ ପ୍ରଶାସନର ନିଦ ଭାଙ୍ଗିବା ଭଳି ଅନୁମାନ କରାଯାଉଛି । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କହିବା ହେଲା, ପୁରା ଘଟଣା ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଜିଲ୍ଲାମଙ୍ଗଳ ଅଧିକାରୀ ତଦନ୍ତ କରିବା ପରେ, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ହଷ୍ଟେଲର ସହକାରି ପରିଚାଳିକା ରଶ୍ମୀତା ସାହୁଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ୩ ସିସିଏ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ୯ ଜଣ ଛାତ୍ରଙ୍କ ନାମରେ ମଙ୍ଗଳ ବିଭାଗ ପକ୍ଷରୁ ଗୁଣୁପୁର ଥାନାରେ ଲିଖିତ ଏତଲା ଦିଆଯାଇଛି । ହଷ୍ଟେଲ୍ ରେ ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କୁ ୧ ମାସ ପାଇଁ ହଷ୍ଟେଲ ମନା କରାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।