ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌ । ପର୍ଦ୍ଦାଫାସ କଲା ପୋଲିସ । ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼ । ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ । ସୁପାରି ଦେଇଥିବା ଅଭିଯୁକ୍ତ ଓ ସହଯୋଗୀ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣଙ୍କୁ ପୋଲିସ ଖୋଜୁଛି । ଦୁଇଟି ବନ୍ଧୁକ, ଗୋଟିଏ ବାଇକ୍ ଜବତ କରିଛି ଗୁଣୁପୁର ପୋଲିସ୍ ।

ସୂଚନା ଅନୁସାରେ, ଗୌରୀଙ୍କ ଦାଦାଙ୍କ ନାଁରେ ଥିବା ଜମି ହାତେଇବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ହୋଇଥିଲା ପ୍ଲାନ୍‌ । ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ରିଷ୍ଣା ଓ ଜିକେ କରିଥିଲେ ପ୍ଲାନ୍‌ । ଗୈାରୀ ମିଶ୍ରଙ୍କୁ ହତ୍ୟା କରିବା ପାଇିଁ ୩୦ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍ । ସୁପାରି କିଲର ରାଜେଶକୁ ଲକ୍ଷେ ୯୦ ହଜାର ଟଙ୍କା ଦିଆସରିଥିଲା । ମେ ୧୩ ତାରିଖରେ ଗୌରୀ ତାଙ୍କ ବନ୍ଧୁଙ୍କ ସହ ବ୍ରିଜ୍‌ ଉପରେ ଠିଆ ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପରେ ସୁପାରି କିଲର ରାଜେଶ ଅବଶିଷ୍ଟ ଟଙ୍କା ମାଗିବାରୁ ତାକୁ ମଧ୍ୟ ରାସ୍ତାରୁ ହଟାଇବାକୁ ହୋଇଥିଲା ପ୍ଲାନ୍‌ । ରାଜେଶକୁ ବିଶାଖାପାଟଣାକୁ ଡାକି ୧୮ ତାରିଖରେ ହତ୍ୟା କରି ପୋତି ଦେଇଥିଲେ । ଏନେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।