ନିର୍ମାଣ ଅବଧି ସରିଲା: ତଥାପି ସରୁନି ଗୁଣୁପୁର ବାଇପାସ୍ ରୋଡ କାମ

ନିର୍ମାଣ ଅବଧି ସରିଲା । ତଥାପି ସରୁନି ଗୁଣୁପୁର ବାଇପାସ୍ ରୋଡ କାମ । ଧୂଳିରେ ଆକ୍ତାମାକ୍ତ ସ୍ଥାନୀୟ ଲୋକେ । ରାୟଗଡା ଜିଲ୍ଲା ଗୁଣୁପୁରରେ ଟ୍ରାଫିକ ସମସ୍ୟାର ସୁଧାର ଲାଗି ୨୦୨୩ ମସିହାରେ ୪ ଥାକିଆ ବାଇପାସ ରୋଡ ପାଇଁ ଟେଣ୍ଡର ହୋଇଥିଲା । ଗୁଣୁପୁର ବାଇପାସ୍ ଛକ ଠାରୁ ବିକ୍ରମପୁର ଛକ ପର୍ଯ୍ୟନ୍ତ ୩. ୮ କିଲୋମିଟର ରାସ୍ତା ନିର୍ମାଣ ସହ ମାଷ୍ଟର ଡ୍ରେନ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ୧୧ କୋଟି ୮୧ ଲକ୍ଷ ୯୬ ହଜାର ଟଙ୍କାର ଟେଣ୍ଡର ଚୂଡ଼ାନ୍ତ ହୋଇଥିଲା । ଆନ୍ଧ୍ରପ୍ରଦେଶର ଏକ ଠିକା ସଂସ୍ଥା ଟେଣ୍ଡର ଦାୟିତ୍ଵ ନେଇଥିଲା । ହେଲେ କାମ ଆରମ୍ଭର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାମ ଶେଷ ହୋଇପାରିନାହିଁ । ରାସ୍ତା କାମ ଅଧପନ୍ତରିଆ ଅବସ୍ଥାରେ ଥିବାରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି । ଏଯାଏଁ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକେ ଆହତ ହୋଇଥିବା ଅଭିଯୋଗ ହୋଇଛି ।
ବାଇପାସ ରାସ୍ତା ନିର୍ମାଣରେ ବାଧକ ସାଜିଛି ବିଦ୍ୟୁତ ଖୁଣ୍ଟ ଓ ପାଣି ପାଇପ ଲାଇନ । ପୂର୍ତ୍ତବିଭାଗ ସହ ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ମଧ୍ୟରେ ସମାନତା ରହୁନଥିବାରୁ ରାସ୍ତା କାମ ଶେଷ ହୋଇପାରୁ ନଥିବା ଜଣାପଡିଛି । ଏହାରି ଭିତରେ ବଳି ପଡୁଛନ୍ତି ସାଧାରଣ ଜନତା । ନିକଟରେ ନବ ନିଯୁକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଉଭୟ ଠିକା ସଂସ୍ଥା ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଠିକା ସଂସ୍ଥା ଶୀଘ୍ର କାମ ସାରିବା ଆଳରେ କେଉଁଠି ମାଟିରେ ମିଶିଥିବା ମେଟାଲ ବ୍ୟବହାର କରୁଛି ତ କେଉଁଠି ତରବରିଆ ଭାବେ ପିଚୁ ଢାଳିଦେଉଛି । ଫଳରେ ଗୋଡ ମାରିଦେଲେ ପିଚୁ ଫଡା ଫଡା ହୋଇ ଉଠିଯାଉଛି ।ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ହୋଇଛି ।