ଗିରଫ ୪ ବାଲି ମାଫିଆଙ୍କୁ ପୁଣି ଥରେ ରିମାଣ୍ଡରେ ନେବ ଗଞ୍ଜାମ ପୋଲିସ

ବ୍ରହ୍ମପୁର: ଗିରଫ ୪ ବାଲି ମାଫିଆଙ୍କୁ ପୁଣି ଥରେ ରିମାଣ୍ଡରେ ନେବ ଗଂଜାମ ପୋଲିସ । ଆଜି ତିନିଦିନିଆ ରିମାଣ୍ଡ ଅବଧି ସରିବା ପରେ କୋଦଳା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଶେଷ ଦିନରେ ନିଜେ ଗଂଜାମ ଏସପି କୃପାସିନ୍ଧୁକୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ । ଏହି ସମୟରେ ସେ ଆହୁରି ୧୦ଜଣ ପାର୍ଟନରଙ୍କ ନାଁ କହିଥିବା ସୂଚନା ମିଳିଛି । କିନ୍ତୁ ଜାଲ୍ ୱାଇ ଫର୍ମ କେଉଁଠାରୁ ଆଣୁଥିଲେ ସେ ବିଷୟରେ ମୁହଁ ଖୋଲି ନାହିଁ କୃପାସିନ୍ଧୁ । କେବଳ ଛତ୍ରପୁର ନୁହେଁ ଶେରଗଡ଼ ତହସିଲଦାରଙ୍କ ଦସ୍ତଖତକୁ ଜାଲିଆତି କରି ବାଲି ଚୋରା ଚାଲାଣ କରାଯାଉଥିବାର ପ୍ରମାଣ ମିଳିଛି ।

ସେପଟେ କୃପାସିନ୍ଧୁର ୬ଟି ଓ ସହଯୋଗୀଙ୍କ ୫ଟି ବ୍ୟାଙ୍କ ଆକାଉଣ୍ଟ ସଂପର୍କରେ ତଥ୍ୟ ହାସଲ କରିଛି ପୋଲିସ । ଏହି ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ କରିବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସେପଟେ ପୋଲିସର ସ୍କାନରରେ ରହିଛି ଅନ୍ୟତମ ବାଲି ମାଫିଆ ଶରତ ବେହେରା । ତାକୁ ନୋଟିସ କରାଯାଇଛି ଓ ସେ ଡରି ଯାଇଥିବାରୁ ଆସୁନାହାନ୍ତି । ଖୁବଶୀଘ୍ର ଶରତଙ୍କୁ ପଚରାଉଚରା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଆଲିଆବାଦ ବାଲି ଘାଟର ଲିଜଧାରୀ ଶରତ ହୋଇଥିବା ବେଳେ, କୃପାସିନ୍ଧୁ ସେଠାରୁ କିପରି ବାଲି ଚାଲାଣ କରୁଥିଲା ତାର ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ୩ଟି ମାମଲା ହୋଇଥିବା ବେଳେ, ଏବେ ଗଞ୍ଜାମ ଥାନାରେ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ ହୋଇଛି ।