‘ଗଲି ଗାର୍ଲ’ ରାପର୍ ସାନିଆ: ବସ୍ତିରୁ ରାପ୍ ଷ୍ଟେଜ୍

ମୁମ୍ବାଇ: ରାପ୍ ସଙ୍ଗ ଶୁଣିବାକୁ କାହାକୁ ବା ଭଲ ନଲାଗେ । ଗୀତରେ ଗୀତରେ ରାପର୍ ଲୋକଙ୍କୁ ଦେଇଥାନ୍ତି ସାମାଜିକ ସୂଚନା । ମୁଖ୍ୟତଃ ଏଥିରେ ଥାଏ ଦଳିତ, ନିଷ୍ପସିତଙ୍କ କାହାଣୀ । ରଣବୀର ସିଂଙ୍କ ଫିଲ୍ମ ‘ଗଲି ବୟ’ରେ ତ ଦେଖିଥିବେ ଜଣେ ରାପରର ସଂଘର୍ଷର କାହାଣୀ । ଆଜି ଆମେ ଆପଣଙ୍କୁ ଜଣେ ‘ଗଲି ଗାର୍ଲ’ଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବାପା ଜଣେ ରିକ୍ସା ଚାଳକ । ଏ ଗଲି ଗାର୍ଲ ହେଉଛନ୍ତି ସାନିଆ ମିଷ୍ଟ୍ରି । ଦୁନିଆ ସବୁଠାରୁ ବଡ଼ ବସ୍ତି ଧାରାବୀରୁ ପହଞ୍ଚି ପାରିଛନ୍ତି ରାପ୍ ଷ୍ଟେଜରେ ।

କେମିତି ଆସିଥିଲେ ରାପ୍ ଦୁନିଆକୁ ?

ଅନ୍ୟ ରାପରଙ୍କ ପରି ସାନିଆଙ୍କର ବି ଇଚ୍ଛା ଅଛି ରାପ୍ ଦୁନିଆରେ ବହୁତ ଆଗକୁ ଯିବାକୁ । ଭଗବାନଙ୍କ କୃପାରୁ ତାଙ୍କର ଏହି ଆଶା ଦିନେ ନା ଦିନେ ନିଶ୍ଚିତ ପୂରଣ ହେବ ବୋଲି ତାଙ୍କର ବିଶ୍ବାସ ରହିଛି । ଏକ ସାକ୍ଷାତକାରରେ ସାନିଆ କହିଥିଲେ, ରାପ୍ ସଙ୍ଗ କ’ଣ ତାଙ୍କ ପରିବାରକୁ ଜଣାନଥିଲା । ଏପରିକି ତାଙ୍କ ପଡୋଶୀ ମଧ୍ୟ ଏ ସମ୍ପର୍କରେ କିଛି ଜାଣିନଥିଲେ । ରାପ୍ ସଙ୍ଗ କେମିତି ଲେଖା ଯାଇଥାଏ, ଏହାକୁ କେମିତି ଓ କେଉଁ ଷ୍ଟାଇଲରେ ଗାଇବାକୁ ପଡିଥାଏ ବୁଝାଇବାକୁ ପଡ଼ିଥିଲା । ପରେ ସେ ଯେତେବେଳେ ରାପ୍ ଗାଇଥିଲେ, ତାଙ୍କ ମାଆଙ୍କୁ ଏହା ବହୁତ ଭଲ ଲାଗିଥିଲା । ହେଲେ ଜଣେ ଝିଆ ହୋଇ ରାପ୍ ସଙ୍ଗ ଲୋକଙ୍କ ଆଗରେ ଗାଇବାକୁ ଡରୁଥିଲେ ସାନିଆ । ରାପ ସଙ୍ଗ ପ୍ରତି ତାଙ୍କ ଆଗ୍ରହ ଦେଖି ବାପାମାଆ ଓ ଶିକ୍ଷକ ତାଙ୍କୁ ସମର୍ଥନ ଦେବା ସହ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ ।

ପ୍ରଥମ ଥର ଏତେ ଲୋକଙ୍କୁ ଦେଖି ଡରି ଯାଇଥିଲେ ?

ଗଲି ଗାର୍ଲଙ୍କୁ ଯେତେବେଳେ ଲୋକଙ୍କ ଆଗରେ ଷ୍ଟେଜ ଉପରେ ରାପ୍ ସଙ୍ଗ ଗାଇବାକୁ ସୁଯୋଗ ମିଳିଥିଲା ସେ ବହୁତ ଡରି ଯାଇଥିଲେ । ଏତେ ଲୋକଙ୍କ ଆଗରେ ରାପ୍ ସଙ୍ଗ ଗାଇବା ଥିଲା ତାଙ୍କ ପାଇଁ ପ୍ରଥମ । ଏହି ଘଟଣାକୁ ମନେ ପକାଇ ସାନିଆଙ୍କ ସାଙ୍ଗ ନାସରିନ ଅସାଂରୀ କହିଛନ୍ତି, ପ୍ରଥମ ଥର ଲୋକଙ୍କ ଆଗରେ ସାନିଆ ଯେତେବେଳେ ଗାଇଥିଲା, ତାଙ୍କ ମାଆ ବହୁତ ଖୁସି ହୋଇଥିଲେ । ସାନିଆ ଷ୍ଟେଜ ଉପରକୁ ଚଢ଼ିବା ବେଳେ ବହୁତ ନର୍ଭସ ଥିଲା । ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ସେ ଡରି ଯାଇଥିଲା । କିଛି ପିଲା ଷ୍ଟେଜ ତଳେ ରହି ତାକୁ ଖରାପ କମେଣ୍ଟ ମାରୁଥିଲେ । ସାନିଆ ଯେତେବେଳେ ରାପ୍ ସଙ୍ଗ ଗାଇବା ଆରମ୍ଭ କରିଥିଲା ଲୋକଙ୍କ ଉପରେ ତା ଗୀତର ଯାଦୁ ଲାଗିଥିଲା । କମେଣ୍ଟ ମାରୁଥିବା ପିଲା ଏଥର ତାଳି ମାରିବା ସହ ଗୀତର ତାଳେ ତାଳେ ଝୁମିବା ଆରମ୍ଭ କରିଦେଇଥିଲେ । ଗୀତ ସରିବା ବେଳକୁ ଉପସ୍ଥିତ ସମସ୍ତଙ୍କ ମନ ଜିଣି ନେଇଥିଲା ସାନିଆ ।

ନାସରିନ ଆହୁରି କହିଛନ୍ତି, ସାନିଆଙ୍କ ପାଇଁ ରାପ୍ ସଙ୍ଗ ଗାଇବା ଏତେ ସହଜ ନଥିଲା । ପରିବାର ଲୋକଙ୍କ ସମର୍ଥନ ସିନା ମିଳିଯାଇଥିଲା, ହେଲେ ବାହାର ଦୁନିଆରେ ଜଣେ ଝିଅ ଏମିତି ଗୀତ ଗାଇବାକୁ କେହି ସହଜରେ ଗ୍ରହଣ କରିପାରୁନଥିଲେ । ରାପର ହୋଇ ଦେଖାଇବାକୁ ଲୋକ ତାକୁ ଚ୍ୟାଲେଞ୍ଜ କରୁଥିଲେ । ଯାହା ଆଜି ସେ କରି ଦେଖାଇଛି ।

Leave a Reply