ଡିସେମ୍ବର ପ୍ରଥମ ସପ୍ତାହରେ ଭୋଟ ଦେବ ଗୁଜୁରାଟ, ୮ରେ ଗଣତି

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଡିସେମ୍ବର ୧ ଓ ୫ରେ ମତଦାନ ସାବ୍ୟସ୍ତ କରିବେ ଗୁଜୁରାଟ ଭୋଟର । ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ଭୋଟିଂ ହେବ  ।  ଆସନ୍ତା ୨୦୨୩ ଫେବୃଆରୀ ୧୮ ତାରିଖ ଯାଏଁ ଗୁଜୁରାଟ ବିଧାନସଭା କାର୍ଯ୍ୟକାଳ ରହିଛି । ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସର୍ବାଧିକ ୧୧୧ ବିଧାୟକ ରହିଛନ୍ତି ।

ସେହିପରି କଂଗ୍ରେସର ୬୨ ବିଧାୟକ ଥିବାବେଳେ ବିଟିପିର ୨, ଏନସିପିର ୧, ସ୍ବାଧୀନ ଜଣେ ବିଧାୟକ ରହିଛନ୍ତି । ଖାଲିପଡିଛି ୫ ଆସନ । ଗତ ୨୦୧୭ ଡିସେମ୍ବର ୯ ଓ ୧୪ ତାରିଖରେ ହୋଇଥିଲା ନିର୍ବାଚନ । ଗୁଜୁରାଟରେ ବିଜେପି ପ୍ରାୟ ୨୫ ବର୍ଷ ଧରି ଶାସନ କରୁଥିବାବେଳେ ଏହି ନିର୍ବାଚନ ହେବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଲାଗି ଅଗ୍ନିପରୀକ୍ଷା । ପଞ୍ଜାବ ପରେ ଏବେ ଗୁଜୁରାଟରେ ସରକାରକୁ ଆସିବା ଲାଗି ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବାବେଳେ ଆପକୁ ମୁକାବିଲା କରିବା ବିଜେପି ଲାଗି କଷ୍ଟକର ହୋଇପାରେ ।

ଆସନ୍ତା ନଭେମ୍ବର ୧୨ରେ ୬୮ ଆସନ ପାଇଁ ମତଦାନ କରିବ ହିମାଚଳ ପ୍ରଦେଶ  । ସେହିପରି ଡିସେମ୍ବର ୮ରେ ଉଭୟ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଭୋଟ ଗଣତି ହେବ  ।