ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ମାମଲାରେ ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ

1 min read

ଗାନ୍ଧୀନଗର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ମାମଲାରେ ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ । ମୋଦି ସାଙ୍ଗିଆ ମାମଲାରେ ନିମ୍ନକୋର୍ଟ ରାୟକୁ ସେସନସ କୋର୍ଟ ଗତ ଏପ୍ରିଲ 20 ତାରିଖରେ କାଏମ ରଖିବା ପରେ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ମାମଲା ଲଢୁଛନ୍ତି ।

ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିବାକୁ ଜଷ୍ଟିସ ଗୀତା ଗୋପୀ ଅଗ୍ରାହ୍ୟ କରିବା ପରେ ବିଚାର ଭାର ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କୁ ଦିଆଯାଇଛି । ଗତ 13 ଏପ୍ରିଲ 2019ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ଆଇପିସିର ଧାରା 499, 500 ଓ 504 ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ 23 ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସିଜେଏମ କୋର୍ଟ ।

କୋର୍ଟ ରାୟ ପରେ ଗତ 24 ମାର୍ଚ୍ଚରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ । ସମ୍ବିଧାନର ଧାରା 102(1)(e) ତଥା 1951 ଜନପ୍ରତିନିଧି ଆଇନର ଧାରା 8 ଅନୁସାରେ ସଦସ୍ୟ ପଦ ରଦ୍ଦ ହୋଇଥିଲା । ଗତ 20 ଏପ୍ରିଲରେ ସିଜେଏମଙ୍କ ରାୟକୁ ସେସନସ କୋର୍ଟ କାଏମ ରଖିବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ ।