ଆଜି ରାହୁଲଙ୍କ ଭାଗ୍ୟପରୀକ୍ଷା, ଦଣ୍ଡାଦେଶରେ ରୋକ ଆବେଦନର ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ

ଗାନ୍ଧୀନଗର: ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଉପରେ ରୋକ ଲଗେଇବାକୁ ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ । ସୁରଟ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ବେଳେ, ଏହା ବିରୋଧରେ ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାହୁଲ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ତଳ କୋର୍ଟ ତାଙ୍କ ବିରୋଧରେ ଅତ୍ୟଧିକ କଠୋର ଆଭିମୁଖ୍ୟ ରଖିଛନ୍ତି ।

ସୁରଟ କୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧିଙ୍କ ସାଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ସାଂସଦ ସଦସ୍ୟତା ବାତିଲ ହେବାର କିଛି ଦିନ ପରେ ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା । କିଛିଦିନ ତଳେ ଦଣ୍ଡାଦେଶ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧି ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ ।

ରାହୁଲଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କୋର୍ଟରେ ଯୁକ୍ତି କରିଥିଲେ ଯେ, ମାନହାନି ମାମଲାରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ମାନକୁ ଆଘାତ ଦେବା ଅଭିଯୋଗ ସ୍ପଷ୍ଟ ହେବା ଦରକାର । କିନ୍ତୁ କୋର୍ଟ ଏହାକୁ ସ୍ବୀକାର କରିନଥିଲେ । ରାହୁଲଙ୍କ ଆବେଦନକୁ ଖାରଜ କରିଥିଲେ ସେସନ କୋର୍ଟ ।