ବିଧାନସଭା ନିର୍ବାଚନ ପୂର୍ବରୁ ୟୁସିସି କାର୍ଯ୍ୟକାରୀ କରିବା ଲାଗି ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି
ଗୁଜୁରାଟ: ବିଧାନସଭା ନିର୍ବାଚନ ପୂର୍ବରୁ ଏକକ ନାଗରିକ ସଂହିତା ବା ୟୁସିସି କାର୍ଯ୍ୟକାରୀ କରିବା ଲାଗି ଗୁଜରାଟ ସରକାରଙ୍କ ନିଷ୍ପତ୍ତି। ଉତ୍ତରାଖଣ୍ଡ ଢାଞ୍ଚାରେ ଏକ କମିଟି ଗଠନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୟୁସିସିର କାର୍ଯ୍ୟକାରିତା ସମ୍ପର୍କିତ ସମସ୍ତ ଦିଗ ଅନୁଧ୍ୟାନ କରିବ ।
ସମ୍ବିଧାନର ଧାରା ୪୪ ଅନୁସାରେ ଭାରତୀୟ ନାଗରିକଙ୍କ ଲାଗି ବିବାହ, ବିବାହ ବିଚ୍ଛେଦ, ଉତ୍ତରାଧିକାରୀତ୍ବ, ପୋଷ୍ୟ ଆଦି କ୍ଷେତ୍ରରେ ଗୋଟିଏ ନିୟମ ସାରା ଦେଶରେ ଲାଗୁ ପାଇଁ ୟୁସିସିରେ ରହିଛି ବ୍ୟବସ୍ଥା । ଗତ ମେ ମାସରେ ଉତ୍ତରାଖଣ୍ଡ ସରକାର ୟୁସିସି କାର୍ଯକାରୀ କରିବା ଲାଗି ନେଇଥିଲେ ନିଷ୍ପତ୍ତି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ୟୁସିସି କାର୍ଯ୍ୟକାରୀ କରିବାକୁ ଘୋଷଣା କରିସାରିଛନ୍ତି । ବିଭିନ୍ନ ଧର୍ମର ଲୋକଙ୍କ ଲାଗି ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ କରିବା ଲାଗି ୟୁସିସି ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯାଉଛି ।
ସେପଟେ ଏହି ପଦକ୍ଷେପକୁ ବିରୋଧ କରିଛି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ବା ଏଆଇଏମପିଏଲବି । ଏହା ସଂଖ୍ୟାଲଘୁ ବିରୋଧୀ ବୋଲି କହିଛି ବୋର୍ଡ । ମୁଦ୍ରାସ୍ଫୀତି, ଅର୍ଥନୈତିକ ଅସ୍ଥିରତା ଓ ବେକାରୀ ସମସ୍ୟାଠାରୁ ଦୃଷ୍ଟି ଦୂରେଇବା ଲାଗି ଏପରି ଯୋଜନା କରାଯାଉଛି ବୋଲି କହିଛି ବୋର୍ଡ। କିଛିଦିନ ତଳେ ଦେଶରେ ୟୁସିସି କାର୍ଯ୍ୟକାରୀ କରିବା ନେଇ ପାର୍ଲାମେଣ୍ଟକୁ ନିର୍ଦ୍ଦେଶ ଦେଇପାରିବେନି ବୋଲି ସୁପ୍ରିମକୋର୍ଟଙ୍କୁ କହିଥିଲେ କେନ୍ଦ୍ର ସରକାର।