ଗୁଜରାଟର ଜୁନାଗଡ଼ରେ ଭୁଶୁଡ଼ି ପଡ଼ିଲା ଦୁଇ ମହଲା କୋଠା, ଭଗ୍ନାଂଶ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା

ଅହମ୍ମଦାବାଦ: ଗୁଜରାଟରେ ଭୀଷଣ ବର୍ଷା କାରଣରୁ ଅନେକ ଅଞ୍ଚଳ ଜଳମଗ୍ନ ରହିଛି । ଯେଉଁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି ଦୃଶ୍ୟମାନ ହୋଇଛି । ତେବେ ଜାରି ଭୀଷଣ ବର୍ଷା ମଧ୍ୟରେ ଜୁନାଗଡ଼ରୁ ଏକ ଡରାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ସୋମବାର ଅପରାହ୍ନରେ ଏକ ଦୁଇ ମହଲା କୋଠା ଅଚାନକ ଭୁଶୁଡ଼ିପଡ଼ିଛି । ତେବେ କୁହାଯାଉଛି ଯେ କୋଠା ଭୁଶୁଡ଼ିବା ସମୟରେ କୋଠାରେ ଅନେକ ଲୋକ ଉପସ୍ଥିତ ଥିଲେ । ତେଣୁ କୋଠାର ଭଗ୍ନାଂଶ ତଳେ ଅନେକ ଲୋକ ଚାପି ହୋଇ ରହିଥିବା କୁହାଯାଉଛି ।

ଏବେ ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପ୍ରୟାସ ଜୋରଦାର କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ଅଛି । ତେବେ ଘଟଣାଟି ଜୁନାଗଡ଼ର କାଦିୟାୱାଡ ଅଞ୍ଚଳରେ ହୋଇଛି । କୋଠାରେ ଅନେକ ଦୋକାନ ଏବଂ ଘର ମଧ୍ୟ ଥିଲା । ଏନଡିଆରଏଫର ଏକ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏହା ବ୍ୟତୀତ ଦମକଳ ବାହିନୀ ଏବଂ ପୋଲିସର ଯବାନମାନେ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛନ୍ତି । ଜୁନାଗଡ଼ରେ ରବିବାର ସକାଳ ସୁଦ୍ଧା ୨୪୧ ମିଲିମିଟର ବର୍ଷା ପରେ ସବୁ ଆଡ଼େ ଜଳ ପ୍ରଳୟ ସ୍ଥିତି ରହିଛି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଯାଉଛି ।