ଗୁଜରାଟ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣା, ନଗର ନିଗମ ଉପରେ ବର୍ଷିଲେ ହାଇକୋର୍ଟ

ଗାନ୍ଧିନଗର: ଗୁଜରାଟ ମୋରବି ଝୁଲାପୋଲ ଦୁର୍ଘଟଣା ମାମଲା । ପୋଲ ଦୁର୍ଘଟଣାର ସତ କହିବାକୁ ମୋରବି ନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି ମାମଲାର ଶୁଣାଣି କରି ଠିକା ସଂସ୍ଥାକୁ କାମ ଦିଆଯିବା ପ୍ରକ୍ରିୟା ଉପରେ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । କାହିକିଁ ପୋଲ ମରାମତି କାମ ପାଇଁ କରାଯାଇନଥିଲା ଟେଣ୍ଡର ? କାହିଁକି ଟେଣ୍ଡରଧାରୀଙ୍କୁ ଏଥିରେ ସାମିଲ କରାଯାଇ ନଥିଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବ ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ରିପୋର୍ଟ ତଲବ କରିଛନ୍ତି । ଆସନ୍ତାକାଲି ପୁଣି ମାମଲାର ଶୁଣାଣି କରାଯିବ ।

ମୋରବି ନଗର ନିଗମ ପକ୍ଷରୁ ଓରେଭା ଗ୍ରୁପକୁ ୧୫ ବର୍ଷ ପାଇଁ ଟେଣ୍ଡର ଦିଆଯାଇଥିଲା । ବିନା ଟେଣ୍ଡରରେ ଏକ ଘଣ୍ଟା ନିର୍ମାଣକାରୀ କମ୍ପାନୀକୁ କିପରି ପୋଲ ମରାମତି ଦାୟିତ୍ୱ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ବ୍ରିଟିଶ ଅମଳର ଏହି ପୋଲ ମରାମତି ପାଇଁ କିପରି ଦେଢ଼ ପୃଷ୍ଠାରେ ଏଗ୍ରିମେଣ୍ଟ ଶେଷ ହେଲା ସେ ନେଇ ମଧ୍ୟ କୋର୍ଟ ଉତ୍ତର ମାଗିଛନ୍ତି । ମୋରବି ପୋଲ ଭୁଶୁଡ଼ିବା ଘଟଣାକୁ ୧୫ ଦିନ ବିତିଛି । ଦୁର୍ଘଟଣାରେ ୧୩୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପାଖାପାଖି ୫୦ଜଣ ଶିଶୁ ସାମିଲ ଥିଲେ ।