ପ୍ରବଳ ବର୍ଷା ପରେ ଜଳାର୍ଣ୍ଣବ ହୋଇଛି ଜୁନାଗଡ଼ ସହର
1 min read
ଜୁନାଗଡ଼: ମୌସୁମୀ ବର୍ଷା, ଧୋଇଗଲା ଗୁଜରାଟ ମଡେଲ। ପ୍ରବଳ ବର୍ଷା ପରେ ଜଳାର୍ଣ୍ଣବ ହୋଇଛି ଜୁନାଗଡ଼ ସହର। ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ସଡ଼କ ସମୁଦ୍ର ପାଲଟିଛି । ଅହମ୍ମଦାବାଦ, ସୌରାଷ୍ଟ୍ର ଓ ନର୍ଥ ଗୁଜରାଟର ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଛି। ଦୁଇ ଦିନର ବର୍ଷାରେ ଗୁଜରାଟ ମଡେଲ ଧୋଇ ଯାଇଥିବା ବେଳେ ଆହୁରି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ନବସାରୀ ଜିଲ୍ଲାରେ ଓ୍ବାଟର ଲଗିଂ ଯୋଗୁ ଅନେକ ଗାଡ଼ିମୋଟର ପାଣିରେ ବୁଡ଼ି ରହିଥିବା ଦେଖାଯାଇଛି। ସେପଟେ ମହାରାଷ୍ଟ୍ରରେ ବି ମୂଷଳଧାରାରେ ବର୍ଷା ଯୋଗୁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଛି। କୋଙ୍କଣ, ମୁମ୍ବାଇ, ପାଲଘର ଆଦି ସ୍ଥାନରେ ଗତ ୨୪ ଘଣ୍ଟା ଧରି ବର୍ଷା ଜାରି ରହିଛି। ଫଳରେ ଅଧିକାଂଶ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ଟ୍ରାଫିକ ସମସ୍ୟା ଦେଖାଯାଇଛି।
ସେହିପରି ସାଉଥ ମହାରାଷ୍ଟ୍ରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଜୁନ ୨୯ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ IMD ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ସେପଟେ ବଦ୍ରିନାଥ ହାଇଓ୍ବେରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ହଜାର ହଜାର ପର୍ଯ୍ୟଟକ ଅଟକି ରହିଛନ୍ତି। ଅନ୍ୟପଟେ ପାଗ ଅନୁକୂଳ ନଥିବାରୁ କେଦାରନାଥ ଯାତ୍ରା ମଧ୍ୟ ସ୍ଥଗିତ ରଖାଯାଇଛି ।