ମୁଁ କୌଣସି ହତ୍ୟା କରିନାହିଁ…. ମାନହାନି ମାମଲାରେ କୋର୍ଟରେ କ’ଣ କହିଲେ ରାହୁଲ?

ଗୁଜରାଟ: ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି କଲେ ଗୁଜରାଟ ହାଇକୋର୍ଟ । ବରିଷ୍ଠ ଓକିଲ ଅଭିଷେକ ମନୁସିଂଘବୀ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରିଥିଲେ । ରାହୁଲ ଗାନ୍ଧୀଙ୍କ କହିବା କଥା ମୁଁ କୌଣସି ହତ୍ୟା କରିନାହିଁ । ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିନପାରିବା ଦଣ୍ଡାଦେଶ ଅଧିକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଶୁଣାଣି ବେଳେ ଅଭିଯୋଗକାରୀ ପୂର୍ଣ୍ଣେସ ମୋଦିଙ୍କୁ ମାମଲାର ରେକର୍ଡ ଉପସ୍ଥାପନ କରିବାକୁ କହିଥିଲେ । ଯାହାର ଶୁଣାଣି ମେ ୨ ତାରିଖରେ ହେବ । ୫ ତାରିଖ ଭିତରେ କୋର୍ଟ ରାୟ ଦେଇପାରନ୍ତି ବୋଲି କହିଛନ୍ତି ।

ଶୁଣାଣି ବେଳେ ବିଚାରପତି ମାମଲାର ଗାମ୍ଭୀର୍ଯ୍ୟତା ଦେଖନ୍ତୁ ବୋଲି ଓକିଲ ଯୁକ୍ତି ରଖିଥିଲେ । ମାମଲାରେ ଅଭିଯୋଗକାରୀଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ୬ଟି ପୃଷ୍ଠଭୂମି ଉପସ୍ଥାପନା କରାଯାଇଥିଲା । ଯାହାଦ୍ବାରା ଦଣ୍ଡାଦେଶ ଉପରେ ରୋକ ଲଗାଯାଇପାରିବ । ରାହୁଲ ଗାନ୍ଧୀ ମୋଦି ସାଙ୍ଗିଆକୁ ନେଇ ଭାଷଣ ଦେବା ବେଳେ ଅଭିଯୋଗକାରୀଙ୍କ ନାଁ ନେଇନାହାନ୍ତି । ନାଁ ନେଇଥିବା ବ୍ୟକ୍ତି ମାନେ ମଧ୍ୟ ମାମଲା ରୁଜୁ କରିନଥିଲେ । ତେଣୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ବିଶେଷ ଗୁରୁତ୍ବ ଦେବା କଥା ନୁହେଁ ବୋଲି ଅଭିଷେକ ମନୁସିଂଘବି କହିଛନ୍ତି ।