ଗୁଜରାଟ ସରକାରଙ୍କ ନୂଆ ନିଷ୍ପତ୍ତି, ହେଲମେଟ୍ ନପିନ୍ଧିଲେ ବି ପଡ଼ିବନି ଫାଇନ୍

ଅହମ୍ମଦାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନକୁ ସବୁ ରାଜ୍ୟ କଡ଼ା କଡ଼ି ଭାବେ ଲାଗୁ କରିଥିବା ବେଳେ ଗୁଜରାଟ ସରକାର ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି । ଗତ ସେପ୍ଟେମ୍ୱରରେ ଫାଇନ୍ ପରିମାଣରେ କମ୍ କରିବା ପରେ ଆଜିଠାରୁ ହେଲମେଟ୍ ପିନ୍ଧିବା ନେଇ ଥିବା ବାଧ୍ୟତାମୂଳକ ନିୟମକୁ କୋହଳ କରିଛନ୍ତି ସରକାର ।
ଗୁଜରାଟ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ସହରାଞ୍ଚଳରେ ଆଉ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଯାହାର ଇଚ୍ଛା ହେବ ସିଏ ହେଲମେଟ୍ ପିନ୍ଧିବ ଏବଂ ଯିଏ ନ ଚାହିଁବ ସେ ଆଉ ହେଲମେଟ୍ ପିନ୍ଧିବ ନାହିଁ ବୋଲି ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ହେଲମେଟ୍ ନପିନ୍ଧିଲେ ବି ଫାଇନ୍ ପଡ଼ିବ ନାହିଁ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ମ୍ୟୁନିସିପାଲିଟି ଅଞ୍ଚଳରେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଗୁଜରାଟ ସରକାରଙ୍କ ପରିବହନ ମନ୍ତ୍ରୀ ଆର.ସି ଫାଲଦୁ ଆଜି ଏ ନେଇ ସୂଚନା ଦେଇଛନ୍ତି ।