କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୮ ମୃତ

ଅହମ୍ମଦାବାଦ: ଦେଶରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ମାମଲା ନିଦ ହଜାଇଥିବାବେଳେ ଗୁଜୁରାଟରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଜରାଟର ଭାରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାବେଳେ ଭାରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଭାରୁଚ ଏସପି ରାଜେନ୍ଦ୍ର ସିଂ ଚୁଡାସାମା କହିଛନ୍ତି ଯେ ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ ଥିବାରୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଡାକ୍ତରଖାନାରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ୧୦ ଟି ଅଗ୍ନିଶମ ବାହିନୀକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରାଯିବା ସହ ରୋଗୀଙ୍କୁ ଡାକ୍ତରଖାନାରୁ ବାହାର କରାଯିବା ବେଳକୁ ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ମୃତକଙ୍କ ମଧ୍ଯରେ ୧୨ ଜଣ ରୋଗୀ ଓ ଦୁଇଜଣ ନର୍ସ ଅଛନ୍ତି। ତେବେ ଅନ୍ୟ ୪ ଜଣ ମୃତକଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିମାରି ନାହିଁ।

ଡାକ୍ତରଖାନାରେ ନିଆଁ ଲାଗିବା ସମୟରେ ସେଠାରେ ୫୮ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ସମସ୍ତ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସର୍ଟ ସର୍କିଟ ଯୋଗୁଁ ଆଇସିୟୁ ୱାର୍ଡରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ତଦନ୍ତ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave a Reply