ଗୁଜୁରାଟ ନିର୍ବାଚନ: ସର୍ବାଧିକ ୧୫୪ କୋଟିପତିଙ୍କୁ ଟିକେଟ୍ ଦେଇଛି ବିଜେପି

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । ହେବିୱେଟ ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ବେଳେ ୫ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ସୋମବାର କହିଛି ଯେ ଗୁଜୁରାଟ ବିଧାନସଭା ଲଢୁ଼ିଥିବା ୧,୬୨୧ ପ୍ରାର୍ଥୀମାନଙ୍କ ମଧ୍ୟରୁ ୪୫୬ ଅର୍ଥାତ ପ୍ରାୟ ୨୮ ପ୍ରତିଶତ ପ୍ରାର୍ଥୀ କୋଟିପତି ଅଟନ୍ତି । ସୋମବାର ଜାରି ଏହି ରିପୋର୍ଟ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟର ୯୩ ଆସନ ପାଇଁ ମୋଟ ୮୩୩ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ।

ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୮୩୩ ପ୍ରାର୍ଥୀମାନଙ୍କ ମଧ୍ୟରେ ୧୬୩ ଜଣଙ୍କ ଉପରେ ଅପରାଧିକ ମାମଲା ରୁଜୁ ଅଛି । ୨୦୧୭ ମୁକାବିଲାରେ ଏଥିରେ ବୃଦ୍ଧି ଘଟିଛି । ୨୦୧୭ରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୮୨୨ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୦୧ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ ଥିଲା । ସେହିପରି ୮୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୫ କୋଟିପତି ରହିଛନ୍ତି । ୨୦୧୭ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହିଭଳି ପ୍ରାର୍ଥୀଙ୍କ ସଂଖ୍ୟା ୧୯୯ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସର ୯୦ ଦାଗି ପ୍ରାର୍ଥୀ ମଇଦାନରେ ଥିବା ବେଳେ ବିଜେପି ଓ ଏଏପିର ୯୩ ଲେଖାଏଁ ଦାଗି ପ୍ରାର୍ଥୀ ରହିଛନ୍ତି ।

ସେହିପରି ବିଟିପିର ୧୨ ଦାଗୀ ନେତା ରହିଛନ୍ତି । ଦୁଇଟି ପର୍ଯ୍ୟାୟ ମିଶାଇଲେ ତେବେ ମୋଟ ୧୬୨୧ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଏଥିରେ ୩୩୦ ଅର୍ଥାତ ପ୍ରାୟ ୨୦ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ଅଛି । ସବୁଠୁ ଅଧିକ ଦାଗି ପ୍ରାର୍ଥୀ ଆମ ଆଦମି ପାର୍ଟିର ଅଛନ୍ତି । ଏଏପିର ୬୧ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ରହିଛି । ୨୦୧୭ ମୁକାବିଲାରେ ଦାଗି ପାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୦୧୭ରେ ମୋଟ ୨୩୮ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ରୁଜୁ ଥିଲା । ଏଡିଆର ରିପୋର୍ଟ ମୁତାବିକ କଂଗ୍ରେସର ୬୦ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ଚାଲୁଛି ।

ସେହିପରି କ୍ଷମତାଶୀନ ବିଜେପିର ୩୨ ପ୍ରାର୍ଥୀଙ୍କ ଉପରେ ମାମଲା ଚାଲୁଛି । ମୋଟ ୧୯୨ ପ୍ରାର୍ଥୀଙ୍କ ଉପରେ ହତ୍ୟା, ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ଭଳି ଗମ୍ଭୀର ଧାରାରେ ମକଦ୍ଦମା ରୁଜୁ ରହିଛି । ଏଥିମଧ୍ୟରେ ୯୬ ପ୍ରାର୍ଥୀ ବିଜେପି, କଂଗ୍ରେସ ଓ ଏଏପିର ଟିକେଟରେ ରହିଛନ୍ତି । ପ୍ରଥମ ପର୍ଯ୍ୟର ୧୬୭ ପ୍ରାର୍ଥୀ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ମୋଟ ୩୩୦ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ରୁଜୁ ହୋଇଛି ।

ଆମ ଆଦମି ପାର୍ଟିର ସର୍ବାଧିକ ୪୩ ପ୍ରାର୍ଥୀଙ୍କ ଉପରେ ଗମ୍ଭୀର ଧାରାରେ ମାମଲା ରହିଛି । ସେହିପରି କଂଗ୍ରେସର ୨୮ ତ ବିଜେପିର ୨୫ ପ୍ରାର୍ଥୀଙ୍କ ଉପରେ ଗମ୍ଭୀର ଧାରାରେ ମକଦ୍ଦମା ରୁଜୁ ହୋଇଛି । ଏଡିଆ ରିପୋର୍ଟରୁ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହାର ମୁତାବିକ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଏପରି ପାଞ୍ଚ ପ୍ରାର୍ଥୀ ମଇଦାନରେ ଅଛନ୍ତି ଯାହାଙ୍କ ପାଖରେ ମୂଳରୁ କିଛି ସମ୍ପତି ନାହିଁ ।

ଅବଶ୍ୟ, ଏହି ତାଲିକାରେ ବିଜେପି, କଂଗ୍ରେସ, ଆମ ଆଦମି ପାର୍ଟି ବା ବିଟିପି ଭଳି ଦଳର ପ୍ରାର୍ଥୀ ନାହାନ୍ତି । ପ୍ରଥମ ପର୍ଯ୍ୟାରେ ମଧ୍ୟ ଜଣେ ପ୍ରାର୍ଥୀଙ୍କ ପାଖରେ କୌଣସି ସମ୍ପତ୍ତି ନଥିଲା । ଉଭୟ ପର୍ଯ୍ୟାୟକୁ ମିଶାଇ ବିଜେପିର ୧୮୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୪ କୋଟିପତି ଅଟନ୍ତି । କଂଗ୍ରେସର ୧୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୨ କୋଟିପତି ଅଟନ୍ତି । ଆମ ଆଦମି ଦଳର ମୋଟ ୧୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୬୮ ପ୍ରାର୍ଥୀ କୋଟିପତି ଅଛନ୍ତି ।

ଏଡିଆର ରିପୋର୍ଟରେ କୁହାଯାଇଛି ଯେ, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୫୬ କୋଟି ଟଙ୍କା ଅଟେ । ଗାନ୍ଧିନଗରର ମନସା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଜୟନ୍ତୀ ପଟେଲ ୬୬୧ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି । ୩୭୨ କୋଟି ଟଙ୍କା ସହ ସିଦ୍ଧପୁର ଆସନରୁ ପ୍ରାର୍ଥୀ ଥିବା ବଲଭନ୍ତ ରାଜପୁତ ଦ୍ୱିତୀୟରେ ଅଛନ୍ତି । ସେହିପରି ତୃତୀୟ ସ୍ଥାନରେ ୩୪୨ କୋଟି ସମ୍ପତ୍ତି ସହ ଆମ ଆଦମି ପାର୍ଟି ପ୍ରାର୍ଥୀ ଅଜିତସିଂ ଠାକୋର ରହିଛନ୍ତି ।