ପିଏମଓର ବରିଷ୍ଠ ଅଫିସର ପରିଚୟ ଦେଇ ଫାଇଦା ଉଠାଇଲା ମହାଠକ

ଶ୍ରୀନଗର : ଠକର ଭିଆଇପି ସଉକ । ଜେଡ୍ ପ୍ଲସ ସୁରକ୍ଷା ସାଙ୍ଗକୁ ଶ୍ରୀନଗରରେ ଫାଇଭ ଷ୍ଟାର ହୋଟେଲରେ ରହିଲା କନମ୍ୟାନ୍ । ପିଏମଓର ବରିଷ୍ଠ ଅଫିସର କହି କାଶ୍ମୀରରେ ସେନା ଅଧିକାରୀଙ୍କ ସହ ହାଇଲେବଲ ମିଟିଂ । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗୁଜରାଟର ମହାଠକ କିରଣ ଭାଇ ପଟେଲ ।

ଗତ ଫେବୃଆରୀ ସେ ଶ୍ରୀନଗର ଗସ୍ତରେ ଯାଇଥିବା ବେଳେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଫିସର ଭାବେ ପରିଚୟ ଦେଇଥିଲେ । ଗସ୍ତ ବେଳେ ସେ ସେନାର ଅଧିକାରୀଙ୍କ ସହ ଏକାଧିକ ବୈଠକ ମଧ୍ୟ କରିଥିଲେ । ପିଏମଓରୁ ବରିଷ୍ଠ ଅଧିକାରୀ ଆସିଥିବାରୁ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ସହ ପାଞ୍ଚ ତାରକା ହୋଟେଲରେ ରହିବା ବ୍ୟବସ୍ଥା ଓ ବୁଲେଟ ପ୍ରୁଫ ସ୍କର୍ପିଓ ମଧ୍ୟ ଯୋଗାଇ ଦିଆଯାଇଥିଲା ।

ପିଏମଓର ଅଡିସନାଲ ଡାଇରେକ୍ଟର ପରିଚୟ ଦେଉଥିବା ଗୁଜରାଟର ଏହି ଠକକୁ ଗତ ୧୦ଦିନ ତଳେ ଶ୍ରୀନଗରରୁ ଗିରଫ କରାଯାଇଛି । ଗିରଫଦାରୀ ପରେ ପୁରା ଘଟଣା ସାମ୍ନାକୁ ଆସିଛି । ଫେବୃଆରୀ ଗସ୍ତ ବେଳେ ପୋଲିସ ସୁରକ୍ଷାରେ ସେ ବିଭିନ୍ନ ସ୍ଥାନକୁ ଯାଇଥିବା ବେଳେ ପାରାମିଲିଟାରୀ ଗାର୍ଡଙ୍କ ସହ ବୁଲୁଥିବାର ମଧ୍ୟ ଭିଡିଓ ରହିଛି । ଶ୍ରୀନଗରର କ୍ଲକ ଟାଓ୍ବର ଆଗରେ ଫଟୋ ମଧ୍ୟ ଉଠାଇଥିଲା ଠକ କିରଣ ଭାଇ ପଟେଲ । ପୋଲିସ ଅଧିକାରୀଙ୍କ ବିରୋଧରେ ଠକ ସମ୍ପର୍କରେ ଜାଣି ନପାରିବା ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।