ନଦୀକୁ ଖସି ପଡିଲା ଝୁଲା ପୋଲ, ବ୍ରିଜରେ ଥିଲେ ୪ଶହ ଲୋକ

ଗାନ୍ଧୀ ନଗର: ଗୁଜରାଟର ମୋରବିରେ ବଡ ଅଘଟଣ । ମଚ୍ଛୁ ନଦୀରେ ନିର୍ମିତ କେବଲ ବ୍ରିଜ ଅଚାନକ ଭୁଶୁଡି ଯିବାରୁ ଅନେକ ଲୋକ ନଦୀକୁ ଖସି ପଡିଛନ୍ତି । ଲୋକଙ୍କୁ ନଦୀରୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ସମୟରେ ୪୦୦ ଲୋକ ପୋଲରେ ଥିଲେ । ପୋଲିସ ଏବଂ ପ୍ରଶାସନ ସହିତ ସ୍ଥାନୀୟ ଲୋକ ବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ।

ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ କିଛି ସମୟ ମଧ୍ୟରେ ପହଞ୍ଚିବ । ମାତ୍ର ୫ ଦିନ ପୂର୍ବେ ଏହି କେବଲ ବ୍ରିଜର ନବୀକରଣ ପରେ ପୁଣି ଥରେ ଲୋକଙ୍କ ପାଇଁ ଖୋଲାଯାଇଥିଲା । ନବୀକରଣ ପରେ ବି ଏତେ ବଡ ଦୁର୍ଘଟଣା ଘଟିବା ନେଇ ବଡ ପ୍ରଶ୍ନ ଉଠିଛି । ଫିଟନେସ୍‌ ସାର୍ଟିଫିକେଟ ନଥିବା ବେଳେ ବ୍ରିଜ କାହିଁକି ଖୋଲାଗଲା ବୋଲି ପ୍ରଶ୍ନ ଉଠିଛି । ପ୍ରଶାସନ ଓ ଗୁଜରାଟ ସରକାରଙ୍କ ଘୋର ଅବହେଳା ପାଇଁ ଆଜି ଏକ ବଡ଼ ଅଘଟଣ ଘଟିଛି ।