ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, ପୁରୀ ରଥଖଳାରେ ଅନୁଷ୍ଠିତ ହେବ ଗୁଜ ଅନୁକୁଳ ନୀତି

ପୁରୀ: ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଏହି ଅବସରେ ପୁରୀ ରଥଖଳାରେ ଗୁଜ ଅନୁକୁଳ ନୀତି ସମ୍ପାଦନ କରାଯିବ । ରୂପକାର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ନଡ଼ିଆ ବାଡେଇ ରଥ ସହିଂତା ଅନୁସାରେ ଗୁଜ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି । ଅନୁକୂଳ ପରେ ଗୁଜ ଗୁଡ଼ିକରେ ନୃସିଂହ ବିରାଳ, ନର ବିରାଳ, ହସ୍ତୀ ବିରାଳ, ସିଂହ ବିରାଳ ଆଦି ଖୋଦେଇ କରାଯିବ । ଏହା ସହ ଭୋଇ ସେବକମାନେ ଯନ୍ତାଗାଡ଼ ନିର୍ମାଣ ଆରମ୍ଭ କରିବେ ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି ୧୩୨ ଜଣ କାରିଗର । ପର୍ଯ୍ୟାୟରେ ୩ ରଥର ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ତୁମ୍ବ ନିର୍ମାଣ କରୁଛନ୍ତି ମହାରଣା ସେବାୟତ । କରତି ସେବକଙ୍କ ଦ୍ୱାରା ଫାସୀ କାଠରେ ସମସ୍ତ ୪୨ଟି ତୁମ୍ବ କଟାଯାଇ ମହାରଣାଙ୍କୁ ଯୋଗାଇ ଦିଆଯାଇଛି । ସୂତାବାଡିଆ ପରେ ୪୨ଟି ଯାକ ତୁମ୍ବରେ ବିନ୍ଧ ଖୋଦେଇ କାର୍ଯ୍ୟ ଜାରି ରହିଛି ।