ଆହୁରି ବଢ଼ିବ ତାପମାତ୍ରା: ଶ୍ରମିକମାନଙ୍କ ପାଇଁ ଆସିବ ଗାଇଡଲାଇନ୍

ରବିବାର: ଏଥର ୪୪ ଡିଗ୍ରୀ ଟପିବ ତାପମାତ୍ରା । ଟାଣ ଖରାରେ ଶ୍ରମିକମାନେ କିପରି ସୁରକ୍ଷିତ ରହିବ, ସେଥିପାଇଁ ଆସବ ଗାଇଡଲାଇନ୍ । ଏନେଇ ଶ୍ରମ ବିଭାଗ ସହ ବୈଠକ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ । ଏବେ ବହୁତ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ହେଲାଣି । ଶ୍ରମିକଙ୍କ ପାଇଁ କିପରି ସମୟ ପରିବର୍ତ୍ତନ କରି କାମ କରି ହେବ, ସେ ନେଇ ଆଲୋଚନା ହେବ । କଳକାରଖାନରେ କେମିତି କାମ କରିବେ, ସେ ନେଇ ମାର୍ଗଦର୍ଶିକା ଦିଆଯିବ । ଶ୍ରମିକମାନଙ୍କ ଧନଜୀବନ ହାନୀ ଯେପରି ନ ହୁଏ, ସେ ଦିଗରେ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶାକୁ ଆସୁଥିବା ସାମୁଦ୍ରିକ ପବନର ପ୍ରବାହ କମିଛି । ଫଳରେ ତାତି ବଢିବାରେ ଲାଗିଛି ।

ଆଗକୁ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ସତର୍କ ସୂଚନା ଜାରିକରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ବଲାଙ୍ଗୀର, ଟିଟିଲାଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ଅନୁଗୁଳ, ଭବାନିପାଟଣାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଆସନ୍ତା ୨୫ ତାରିଖ ବେଳକୁ ତାତି ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେପଟେ ଦକ୍ଷିଣ ସମେତ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି । ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଆହୁରି ୨ରୁ ୩ଡିଗ୍ରୀ ବଢ଼ିବ ତାପମାତ୍ରା