ବିବାଦୀୟ କିମ୍ବା ରାଜନୈତିକ ପ୍ରସଙ୍ଗରେ କୌଣସି ମତ ନଦେବାକୁ CRPFକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୌଣସି ପ୍ରକାର ବିବାଦୀୟ ପ୍ରସଙ୍ଗ କିମ୍ବା ରାଜନୈତିକ ପ୍ରସଙ୍ଗରେ ମତ ନଦେବାକୁ ନିଜର ସମସ୍ତ ପର୍ସୋନେଲ ଓ ପଦାଧିକାରୀଙ୍କ ଉଦ୍ଦେଶ୍ୟରେ ଗାଇଡଲାଇନ ଜାରି କରିଛି ସିଆରପିଏଫ । ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ ପକ୍ଷରୁ ସୋସିଆଲ ମିଡିଆ ସଂକ୍ରାନ୍ତ ଗାଇଡଲାଇନ ଜାରି କରାଯାଇଛି । ବିବାଦୀୟ ମନ୍ତବ୍ୟ ସିଆରପିଏଫ ଲାଗି ସମସ୍ୟାର କାରଣ ହେଉଥିବାରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ସିସିଏସ କଣ୍ଡକ୍ଟ ରୁଲସ୍ ୧୯୬୪କୁ ଉଲ୍ଲଂଘନ କରି ସିଆରପିଏଫର କର୍ମଚାରୀ ଓ ଅଧିକାରୀମାନେ ନିଜର ଅଭିଯୋଗଗୁଡିକୁ ପୋଷ୍ଟ କରୁଛନ୍ତି । ଏହାକୁ ବନ୍ଦ କରିବା ଲାଗି ସିଆରପିଏଫ ଏହି ନିଷ୍ପତ୍ତି ନେଇଛି । ସାଇବର ଅପରାଧ ତଥା ତଦଜନିତ ସମସ୍ୟା ପ୍ରସଙ୍ଗରେ କର୍ମଚାରୀ ଓ ପଦାଧିକାରୀମାନଙ୍କୁ ସଚେତନ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।

ଏକ ସ୍ପର୍ଶକାତର ବିଭାଗରେ କାର୍ଯ୍ୟ କରୁଥିବାରୁ ସଚେତନ ଜରୁରୀ ବୋଲି କୁହାଯାଇଛି । ସରକାରୀ ନୀତି ସମ୍ପର୍କରେ ପ୍ରତିକୂଳ ଟିପ୍ପଣୀ ନଦେବା, ରାଜନୈତିକ ପ୍ରସଙ୍ଗରେ କୌଣସି ପ୍ରକାର ବିବାଦୀୟ ମନ୍ତବ୍ୟ ନଦେବା ଲାଗି କୁହାଯାଇଛି । ସିଆରପିଏଫରେ ୩ ଲକ୍ଷ ୨୫ ହଜାର ମହଜୁଦ ରହିବା ସହ ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ମୁତୟନ ହୋଇଛନ୍ତି ।