ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ !

ଭୁବନେଶ୍ୱର: ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶା ରହିଛି । ପୁରୀରେ ବମ୍ ସ୍ପେଶାଲିଷ୍ଟ ଗୁଡ୍ଡୁ ଲୁଚିଥିଲା ବୋଲି ଜଣାପଡିଛି । ଅସଦ୍ ଓ ଗୁଲାମର ଏନକାଉଣ୍ଟର ହେବା ସମୟରେ ଅଣ୍ଡର ଗ୍ରାଉଣ୍ଡ ହୋଇଥିଲା ଗୁଡ୍ଡୁ । ଏସଟିଏଫ ଟିମ୍ ଗୁଡ୍ଡୁ ମୁସଲିମକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଶେଷ ଲୋକେସନ୍ ଓଡ଼ିଶା ଦେଖାଇବା ପରେ ପୁରୀରେ ଏସଟିଏଫ୍ ଟିମ୍ ପହଞ୍ଚିଥିଲା । ତେବେ ସେତେବେଳକୁ ପୁରୀରୁ ଫେରାର ହୋଇଯାଇଥିଲା ଗୁଡ୍ଡୁ । ତା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି ।

ଗୁଡ୍ଡୁ ସହ ସଂପର୍କରେ ଥିବା ପୁରୁଣା ଅପରାଧୀ ଓ ବାହୁବଳୀଙ୍କ ନେଟଓ୍ବର୍କ ଖୋଜୁଛି ଏସଟିଏଫ୍ । ଲକ୍ଷ୍ନୌର ଜଣେ ବିତ୍ତଶାଳୀ ବ୍ୟକ୍ତି ଓ ଦୁଇ ଜଣ ନେତା ଗୁଡ୍ଡୁ ସହ ସିଧାସଳଖ ସଂପର୍କରେ ଥିବା ଜଣାପଡିଛି । ଓଡ଼ିଶା ପୂର୍ବରୁ କର୍ଣ୍ଣାଟକରେ ଗୁଡ୍ଡୁର ଲୋକେସନ୍ ମିଳିଥିଲା । ଉମେଶ ପାଲ ହତ୍ୟା ପରେ ଗୁଡ୍ଡୁ ଝାନସୀରେ ୫ଦିନ ରହିଥିଲା । ପରେ ମିରଟରେ ଅତିକର ଭଉଣୀ ଆୟଶା ନୁରୀ ଘରେ ଗୁଡ୍ଡୁକୁ ଦେଖିବାକୁ ମିଳିଥିଲା । ଏହାପରଠୁ ଗୁଡ୍ଡୁର ସୁରାକ ମିଳୁନଥିଲା। ପରେ କର୍ଣ୍ଣାଟକ ଓ ଓଡ଼ିଶାରେ ଗୁଡ୍ଡୁର ଲୋକେସନ୍ ଟ୍ରେସ ହୋଇଛି ।