ଚାଲିଛି ପିକନିକ୍ ଋତୁ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ

କୋକସରା: ଆସିଗଲାଣି ପିକନିକ୍ ଋତୁ। ଚଳଚଞ୍ଚଳ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ। କଳାହାଣ୍ଡି ଜିଲ୍ଲାର ଐତିହାସିକ ତୀର୍ଥ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ। ବଣଭୋଜି ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମନଭରି ମଜା ନେଉଛନ୍ତି ପର୍ଯ୍ୟଟକ।

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶ। ମତୁଆଲା କରୁଛି ଝରଣାର କୁଳୁକୁଳୁ ନାଦ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ।  ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ମଧୁମାଧବ ତୀର୍ଥ ଗୁଡହାଣ୍ଡି ଡୋକରୀ ଚଞ୍ଚରାର। କିଏ ଝରଣାର କୁଳୁକୁଳୁ ନାଦରେ ଝୁମୁଛି ତ କିଏ ସ୍ମୃତି ସାଉଁଟିବାପାଇଁ ସେଲଫି ନେଉଛି। ପର୍ଯ୍ୟଟନ ଋତୁ ଆସିଲେ ଏଠି ଲାଗେ ପର୍ଯ୍ୟଟକଙ୍କ ଭିଡ। ଏଠାରେ ଥିବା ଶ୍ରୀରାମ ମନ୍ଦିର ଓ ପ୍ରାଗ ଯୁଗର ଶିଳା ଲିପି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଭୋଜିଭାତ ସାଙ୍ଗକୁ ପ୍ରକୃତିର ମଜା ନେଉଛନ୍ତି ପର୍ଯ୍ୟଟକ।

ପ୍ରତ୍ୟେକ ବର୍ଷ ଡିସେମ୍ବର ଆସିଲେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ଲାଗୁଛି ଭିଡ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୯ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପର୍ଯ୍ୟଟନସ୍ଥଳୀର ବିକାଶ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କରାଯାଇଛି।