ପାଇଖାନାଠୁ ବି ଛୋଟ ଅଫିସ୍, ଟାଇଲ ତଳୁ ବାହାରିଲା କୋଟି କୋଟି

1 min read

ମୁମ୍ବାଇ: ଗୋଟିଏ କମ୍ପାନୀର ପାଇଖାନା ଆକାରର ଅଫିସ ଘରୁ ଜବତ ହୋଇଛି କୋଟି କୋଟି ଟଙ୍କା । ଏହି କମ୍ପାନୀ ବାର୍ଷିକ ୧୭୬୪ କୋଟି ଟଙ୍କର ବ୍ୟବସାୟ କରୁଥିଲା । ମାତ୍ର ୩୫ ବର୍ଗ ଫୁଟର ଘରୁ ଜିଏସଟିର ରେଡ ବେଳେ ନଗଦ ୧୦ କୋଟି ଟଙ୍କା ଜବତ କରିଛି ମହାରାଷ୍ଟ୍ରର ଜିଏଟି ବିଭାଗ ।

କମ୍ପାନୀର କାର୍ଯ୍ୟକଳାପରେ ସନ୍ଦେହ ଉପୁଜିବାରୁ ଜିଏସଟି ବିଭାଗ ରେଡ୍ କରିଥିଲା । କେବଳ ଟଙ୍କା ନୁହଁ ରୁପା ଇଟା ବି ଜବତ କରିଛି ଜିଏସଟି ବିଭାଗ । ଏପ୍ରିଲ ୧୬ରୁ ବିଭାଗ ପକ୍ଷରୁ ବିଭାଗ ପକ୍ଷରୁ ଚାମୁଣ୍ଡା ବୁଲିୟନ ନାମକ ଗୋଟିଏ କମ୍ପାନୀର ଦକ୍ଷିଣ ମୁମ୍ବାଇର ଜାଭେରି ବଜାରରେ ଥିବା ଠିକଣା ସମେତ ଏକାଧିକ ସ୍ଥାନରେ ରେଡ୍‌ କରାଯାଇଥିଲା।

ପାଇଖାନାଠାରୁ ଛୋଟ ଅଫିସ ରହିଥିଲା ଏହି କମ୍ପାନୀର । ଏପ୍ରିଲ ୨୦ରେ କମ୍ପାନୀର ଗୋଟିଏ ଗୁପ୍ତ ଠିକଣାରେ ଅଧିକାରୀମାନେ ପହଞ୍ଚିଥିଲେ। ଏହା ଗୋଟିଏ ଛୋଟିଆ ଘର ହୋଇଥିଲେ ମଧ୍ୟ ସେଠାରୁ ୯.୭୮ କୋଟିର ନଗଦ ଟଙ୍କା ଓ ୧୯ କେଜି ଓଜନର ରୁପା ଇଟା ମିଳିଥିଲା। ଏହି ରୁପା ଇଟାଗୁଡ଼ିକର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ। ଟଙ୍କା ଓ ରୁପା ଇଟାକୁ ଛୋଟ ଘରର କାନ୍ଥ ଓ ଚଟାଣରେ ଅତି ଚାଲିଖିର ସହ ଲୁଚାଇ ରଖାଯାଇଥିଲା।

ଏକାଥର ଏତେ ଟଙ୍କା ଦେଖି କମ୍ପାନୀର କାର୍ଯ୍ୟକଳାପ ଉପରେ ଜିଏସଟି ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। କମ୍ପାନୀର ଆକାଉଣ୍ଟ ଯାଞ୍ଚ କରିବା ପରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ୨୦୧୯-୨୦ରେ କମ୍ପାନୀର ବାର୍ଷିକ ଆୟ ୨୨.୮୩ ଲକ୍ଷ ଟଙ୍କା ଥିଲା। ୨୦୨୦-୨୧ରେ ହଠାତ୍‌ ଏହା ୬୫୨ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। ତେବେ ୨୦୨୧-୨୨ରେ ଏହା ସିଧା ୧୭୬୪ କୋଟିରେ ପହଞ୍ଚିଥିବାରୁ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ରେଡ୍‌ ବେଳେ ନଗଦ ଟଙ୍କା ମିଳିବାରୁ ଘରର ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରା ଯାଇଥିଲା। ଟଙ୍କା ଏଠାକୁ କେମିତି ଆସିଲା, ସେକଥା ସେମାନେ ଜାଣିନଥିବା କହିଛନ୍ତି। ଏଥିପାଇଁ ଜିଏସ୍‌ଟି ଅଧିକାରୀମାନେ ଘରକୁ ସିଲ୍‌ କରିବା ସହ ଆୟକର ବିଭାଗକୁ ଖବର ଦେଇଥିଲେ। ଘର ଭିତରୁ କୋଟି କୋଟି ଟଙ୍କା ମିଳିବା ପରେ ଏହାର ଗଣତି କରାଯାଇଥିଲା। ଏଥିପାଇଁ ଜିଏସଟି ଅଧିକାରଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।