ଘରୋଇ ଯାତ୍ରୀବାହୀ ବସରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚାଲାଣ ବେଳେ ଧରିଲା ଜିଏସଟି ଏନଫୋର୍ସମେଣ୍ଟ ଟିମ୍

ବଲାଙ୍ଗୀର: ବଲାଙ୍ଗୀରରେ ଜିଏସଟି ଫାଙ୍କିବା ଅଭିଯୋଗ । ରାୟପୁରରୁ ବଲାଙ୍ଗୀର ଆସୁଥିବା ମହେନ୍ଦ୍ର ନାମକ ଏକ ଘରୋଇ ବସ୍‌ରେ ଜିଏସଟି ଏନଫୋରସମେଣ୍ଟ ଟିମର ଚଢ଼ାଉ । ଜିଏସଟି ଫାଙ୍କିବା ସହ ବିନା କାଗଜପତ୍ରରେ ରାୟପୁରରୁ ବଲାଙ୍ଗୀରକୁ ପରିବହନ କରାଯାଉଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ  ଜବତ କରାଯାଇଛି । ବଲାଙ୍ଗୀର ଘରୋଇ ବସଷ୍ଟାଣ୍ଡକୁ ନିଆଯାଇ ପରିବହନ ହୋଇଥିବା ସାମଗ୍ରୀ ଗୁଡିକୁ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ କରାଯାଇଛି ।

ରାୟପୁରରୁ ବଲାଙ୍ଗୀରକୁ ଆସୁଥିବା ମହିନ୍ଦ୍ରା ଘରୋଇ ବସରେ ଜିଏସଟି ଫାଙ୍କି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚାଲାଣ କରାଯାଉଥିବା ନେଇ ଜିଏସଟି ଅଧିକାରୀମାନେ ସୂଚନା ଦେଇଥିବା ବେଳେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ରାୟପୁରରୁ ବଲାଙ୍ଗିରକୁ ମହିନ୍ଦ୍ରା ବସରେ ବ୍ୟବସାୟୀମାନଙ୍କ ସାମଗ୍ରୀ ଅଣାଯାଇଥିବା ନେଇ ଅଟକ ବସ ଡ୍ରାଇଭର ପ୍ରେମରାଜ ବହିଦାର ସ୍ୱୀକାର କରିଛନ୍ତି । ତେବେ ରାୟପୁରରୁ ଆଣୁଥିବା ସାମଗ୍ରୀର ଟ୍ୟାକ୍ସ ଦିଆଯିବା ପରେ ଆଣୁଥିବା ନେଇ ବ୍ୟବସାୟୀ ଶଶୀ ମଲାଙ୍ଗ ପ୍ରକାଶ କରିଛନ୍ତି । ତେବେ ଜିଏସଟି ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀର ସହରର କିଛି ବଡ଼ ବଡ଼ ଶାଢ଼ୀ ଦୋକାନ, ମୋଟର ପାର୍ଟ ଦୋକାନ ସହ କିଛି ବଡ଼ ବ୍ୟବସାୟୀ ମାନେ ଏହି ବସ ଯୋଗେ ଜିଏସଟି ଫାଙ୍କି ସାମଗ୍ରୀ ଆଣୁଛନ୍ତି । ସବୁ ଠାରୁ ବଡ଼ କଥା ହେଲା ବହୁ ଦିନରୁ ଏହି ବସ ଯାତ୍ରୀ ନେବା ଆଣିବା ବଦଳରେ ପରିବହନ ସାମଗ୍ରୀ ରାୟପୁରରୁ ଆଣୁଛି । ଅଧିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଏସଟି ଅଧିକାରୀ ଆଶିଷ ସାହୁ ସୂଚନା ଦେଇଛନ୍ତି ।

Leave a Reply