ଆଜି ଜିଏସ୍‌ଟି କାଉନସିଲ୍‌ର ବୈଠକ, ତୁରନ୍ତ ଜିଏସଟି ସହୟତା ଦେବାକୁ ଦାବି କରିବ ଓଡ଼ିଶା

1 min read

ଭୁବନେଶ୍ୱର: ସୋମବାର ଜିଏସ୍‌ଟି କାଉନ୍‌ସିଲର ୪୨ ତମ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟଗୁଡ଼ିକର କ’ଣ ରହିବ ପ୍ରସ୍ତାବ, ତା’ ଉପରେ ସମସ୍ତଙ୍କ ନଜର । ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ୧୮ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ କରିଛି ଓଡିଶା । ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଓଡ଼ିଶା ସବୁବେଳେ କ୍ଷତିପୂରଣ ବଢ଼ାଇବାକୁ ଦାବି କରିଆସୁଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।  ଅର୍ଥନୀତିର ମାନ୍ଦାବସ୍ଥାକୁ ଦେଖି ଜିଏସ୍‌ଟି କ୍ଷତି ଭରଣା ସମୟସୀମା ଯାହା ୨୦୨୨ପର୍ଯ୍ୟନ୍ତ ଥିଲା, ତାହା ଆଗକୁ କ୍ଷତିର ଆକଳନ  ଅନୁଯାୟୀ ବଢାଇବାକୁ କେନ୍ଦ୍ର ରାଜି ହୋଇଛି  । ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଏ ନେଇ ଆଲୋଚନା ହେବ ।

କରୋନାକୁ ନେଇ ଆର୍ଥିକ ସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।  ଅର୍ଥ ମନ୍ତ୍ରଣାଳୟର ତଥ୍ୟ କହୁଛି, ଚଳିତବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ଗତ ୬ମାସ ମଧ୍ୟରେ ସର୍ବାଧିକ ରହିଛି । ଏହା ଦେଶର ଅର୍ଥନୈତିକ କ୍ଷେତ୍ର ସୁଧରୁଥିବା ଦର୍ଶାଉଛି । ସେପ୍ଟେମ୍ବର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ୯୫ ହଜାର ୪୮୦ କୋଟି ଟଙ୍କା ଥିଲା । ସେପ୍ଟେମ୍ବରରେ ରାଜସ୍ୱ ସଂଗ୍ରହ ଚଳିତ ଆର୍ଥିକବର୍ଷରେ ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ମୋଟ ଜିଏସ୍‌ଟି ସଂଗ୍ରହ ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟି ୧୭ ହଜାର ୭୪୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ୨୩ ହଜାର ୧୩୧ କୋଟି ଟଙ୍କା, ସମନ୍ଵିତ ଜିଏସ୍‌ଟି ୪୭ ହଜାର ୪୮୪ କୋଟି ଟଙ୍କା ଏବଂ ସେସ୍‌ ୭ ହଜାର ୧୨୪ କୋଟି ଟଙ୍କା ଅଛି । ସେପ୍ଟେମ୍ବର ମାସରେ ନିୟମିତ ସମାଧାନ ପରେ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ପରିମାଣ ୩୯ ହଜାର କୋଟିରୁ ଅଧିକ ଥିବା ବେଳେ ରାଜ୍ୟ ସରକାରଙ୍କ ମୋଟ ଜିଏସଟି ପରିମାଣ ୪୦ ହଜାର ୧୨୮ କୋଟି ଟଙ୍କା ରହିଛି । ଯାହା ଗତବର୍ଷ ଏହି ସମୟଠାରୁ ଚଳିତବର୍ଷ ଜିଏସଟି ପରିମାଣ ଚାରି ପ୍ରତିଶତ ଅଧିକ ।

Leave a Reply