କିଲର ପ୍ରେମିକକୁ ଭୁବନେଶ୍ବର ଆଣୁଛି ଜିଆରପି: ଟ୍ରେନରେ ତଣ୍ଟି କାଟି ପ୍ରେମିକାକୁ କରିଥିଲା ହତ୍ୟା

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପହଞ୍ଚିବ ହତ୍ୟାକାରୀ ପ୍ରେମିକ । ଧାନବାଦ ଏକ୍ସପ୍ରେସରେ ରାଞ୍ଚିର ପ୍ରେମିକାଙ୍କୁ ତଣ୍ଟି କାଟି କରିଥିଲା ହତ୍ୟା । ୬ ମାସ ପରେ ଅଭିଯୁକ୍ତକୁ ସୁରଟରୁ କାବୁ କରି ଭୁବନେଶ୍ୱର ଆଣୁଛି ଜିଆରପି । ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଧରାକୋଟର ସୁଧାଂଶୁ ପ୍ରଧାନ ।

ସୂଚନା ଅନୁସାରେ, ମୃତ ମହିଳା ରାଞ୍ଚିର ସୁମନ କୁମାରୀ । ଫେସବୁକରେ ସୁଧାଂଶୁଙ୍କ ସହ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଉଭୟ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି । ହେଲେ ସୁଧାଂଶୁ ଅନ୍ୟତ୍ର ବିବାହ କରିବାରୁ ଉଭୟଙ୍କ ମଧ୍ୟରେ ଦେଖା ଦେଇଥିଲା ବିବାଦ । ଏହାପରେ ସୁଧାଂଶୁ ସୁମନଙ୍କୁ ରାସ୍ତାରୁ ହଟାଇବାକୁ କରିଥିଲା ଯୋଜନା ।

ଏହି କ୍ରମରେ, ଉଭୟ ଏପ୍ରିଲ ୧୯ ତାରିଖ ରାତିରେ ରାଉରକେଲା ଷ୍ଟେସନରୁ ଧାନବାଦ ଏକ୍ସପ୍ରେସ ଟ୍ରେନ ଧରିଥିଲେ । ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ବାହାନାରେ ସୁମନଙ୍କୁ ଟ୍ରେନ ଟ,ଲଟକୁ ନେଇ ପୂର୍ବ ଯୋଜନା ଅନୁସାରେ ତଣ୍ଟି କାଟି ହତ୍ୟା କରିଥିଲା । ଏହାପରେ ମଞ୍ଚେଶ୍ୱର ଷ୍ଟେସନ ନିକଟରୁ ଫେରାର ହୋଇଯାଇଥିଲା ।

ଫେରାର ହେବା ପରେ ସୁରଟ ପଳାଇ ସେଠାରେ ଏକ ଘର ଭଡ଼ା ନେଇ ରହୁଥିଲା । ଏପଟେ ଜିଆରପି ହତ୍ୟା ଘଟଣାର ତଦନ୍ତ ଚଲାଇଥିଲା । ସିସିଟିଭିକୁ ଆଧାର କରି ଜିଆରପି ସୁଧାଂଶୁର ସୂଚନା ପାଇଥିଲା । ଏହାପରେ ଫୋନ ଟ୍ରାକିଂ କରି ସୁରଟ ଯାଇ ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ବର ଆଣୁଛି ।