ଭାରତର ନିଷ୍ପତ୍ତିକୁ ଗ୍ରୁପ-7 ରାଷ୍ଟ୍ରଗୋଷ୍ଠୀର କଡ଼ା ସମାଲୋଚନା

1 min read

ନୂଆଦିଲ୍ଲୀ: ଗହମ ରପ୍ତାନି ଉପରେ ଭାରତର ନିଷେଧାଦେଶକୁ ଗ୍ରୁପ-7 ରାଷ୍ଟ୍ରଗୋଷ୍ଠୀର କଡ଼ା ସମାଲୋଚନା । ଭାରତର ଏହି ନିଷ୍ପତ୍ତି ବିଶ୍ବରେ ଅଧିକ ସଂକଟ ସୃଷ୍ଟି କରିବ ବୋଲି ଅଭିଯୋଗ କରିଛି ଗ୍ରୁପ-7 । ଦେଶରେ ଗହମ ଉତ୍ପାଦନ ହ୍ରାସ, ଜାତୀୟ ଖାଦ୍ୟ ନିରାପତ୍ତା, କେବଳ କିଛି ଗରିବ ରାଷ୍ଟ୍ରକୁ ଗହମ ଯୋଗାଣକୁ କେନ୍ଦ୍ର କରି ଗତକାଲି ସରକାର ଗହମ ରପ୍ତାନି ଉପରେ ନିଷେଧାଦେଶ ଜାରି କରିଥିଲେ।

ତୈଳଦର,  ମଜୁରୀ, ପରିବହନ ଖର୍ଚ୍ଚ ବୃଦ୍ଧି କାରଣରୁ ଦେଶରେ ଗହମ ଦର ବି ବୃଦ୍ଧି ପାଇଛି । ଫଳରେ ସରକାର ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରୁପ-7 ସଦସ୍ୟ ଜର୍ମାନୀର କୃଷି ମନ୍ତ୍ରୀ କେମ ଓଜମିର କହିଛନ୍ତି, ଭାରତର ଏହି ନିଷ୍ପତ୍ତି ବିଶ୍ବରେ ଖାଦ୍ୟ ସମସ୍ୟାକୁ ଅଧିକ ଘନୀଭୂତ କରିବ । ଗତ ଫେବ୍ରୁଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ବିଶ୍ବର ଗହମ ଯୋଗାଣ ଗୁରୁତର ବାଧାପ୍ରାପ୍ତ ହୋଇଛି ।

କୃଷ୍ଣସାଗର ଅବରୋଧ ହେବାରୁ ୟୁକ୍ରେନରୁ ଗହମ ରପ୍ତାନି ହୋଇ ନପାରିବା ଫଳରେ ବିଶ୍ବର ଅନେକ ରାଷ୍ଟ୍ର ଭାରତ ଉପରେ ନିର୍ଭର କରି ଆସୁଥିଲେ । ଏପରିକି ଏହି ସମସ୍ୟା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦାୟୀ ବୋଲି ପୂର୍ବରୁ ଜର୍ମାନୀ ଚାନସେଲର ଓଲାଫ ସ୍କଜ ଅଭିଯୋଗ କରିଥିଲେ । ଗ୍ରୁପ-20 ରାଷ୍ଟ୍ରର ସଦସ୍ୟ ରାଷ୍ଟ୍ର ହିସାବରେ ଭାରତ ନିଜ ନିଷ୍ପତ୍ତିର ପରିବର୍ତ୍ତନ କରୁ ବୋଲି କହିଛନ୍ତି ଜର୍ମାନୀ କୃଷିମନ୍ତ୍ରୀ । ଭାରତର ଏହି ନିଷ୍ପତ୍ତି ଯୋଗୁ ଗ୍ରୁପ-7 ସଦସ୍ୟ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ ଓ ଆମେରିକା ପ୍ରଭାବିତ ହୋଇଛନ୍ତି । ଗତ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ରାଜସ୍ବ ବର୍ଷରେ ସରକାର 7 ନିୟୁତ ଟନ ଗହମ ଉତ୍ପାଦନ କରିଥିଲେ । ଯାହାକି ଗତ ବର୍ଷ ତୁଳନାରେ ୨୫୦ ପ୍ରତିଶତ ଅଧିକ ଥିଲା ।