ମୋଟର ସାଇକେଲ ଧକ୍କାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ

ବାଲେଶ୍ବର: ମୋଟର ସାଇକେଲ ଧକ୍କାରୁ ଗୋଷ୍ଠୀ ସଂଘର୍ଷ । କଳହ ଏତେ ଉଗ୍ରରୂପ ନେଲା ଯେ, ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି  । ବାଲେଶ୍ୱର ଜିଲ୍ଲା ଜଙ୍ଖରାଇ ଗାଁରେ ଘଟିଛି ଏହି ଅଘଟଣ । ଗୋଷ୍ଠୀ ସଂଘର୍ଷରେ ଗାଁର ସେକ୍‌ ଜିଲାନିଙ୍କର ମୃତ୍ୟୁ ହୋଇଥିବାବେଳେ ସରୋଜ ଜେନା ଓ ସେକ୍‌ ରଫାଫତ୍‌ଙ୍କ ସମେତ 5ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ସେପଟେ ଜଙ୍ଖରାଇରେ ଚାପା ଉତ୍ତେଜନା ଲାଗିଥିବାରୁ ଘଟଣା ଉପରେ ନଜର ରଖିଛି ଜିଲ୍ଲା ପୋଲିସ । ଆଇଜି ହିମାଂସୁ ଲାଲ ଓ ଏସ୍‌ପି ସୁଧାଂଶୁ ଷଢଙ୍ଗୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମିଳିଥିବା ସୂଚନା ମୁତାବକ ସଂନ୍ଧ୍ୟାରେ ସରୋଜ ଜେନାଙ୍କ ସହିତ ଏକ ମୋଟରସାଇକେଲ ଧକ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସରୋଜ କଳମା ଗାଁରୁ ସମର୍ଥକ ମାନଙ୍କୁ ଡ଼କାଇ ଜଙ୍ଖରାଇ ଗାଁରେ ଲୋକମାନଙ୍କୁ ଆକ୍ରମଣ କରିଥିଲେ ।

ସାମାନ୍ୟ ଘଟଣାରୁ ଏହି ଘଟଣା ଉଗ୍ରରୂପ ନେଇଥିଲା  । ପରବର୍ତ୍ତୀ ସମୟରେ ଦୁଇଟି ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା   । ଆକ୍ରମଣରେ ଘଟଣାସ୍ଥଳରେ ସେକ୍‌ ଜିଲାନିଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଆଇଜି ହିମାଂସୁ ଲାଲ ଓ ଏସ୍‌ପି ସୁଧାଂଶୁ ଷଢଙ୍ଗୀ ପରିସ୍ଥିତି ଉପରେ ବର୍ତ୍ତମାନ ନଜର ରଖିଛନ୍ତି  । ଘଟଣାର ସୁତ୍ରପାତ କେଉଁଠି ଓ କେଉଁମାନେ ଏହି ଘଟଣାରେ ସଂଶ୍ଲିଷ୍ଟ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ  ।

Leave a Reply