ଜମି ବିବାଦକୁ କେନ୍ଦ୍ର କରି ସୋରରେ ହଣାକଟା, ୧୨ ଆହତ

ସୋର: ଜମିଜମା ବିବାଦକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ସୋର ଥାନା ମୋହନପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷ ମଧ୍ୟରେ ହଣାକଟାରୁ ୧୨ ଜଣ ଆହତ । ସମସ୍ତ ଆହତ ସୋର ମେଡିକାଲରେ ଭର୍ତ୍ତି ।

ଆଜି ସକାଳେ ବାଡ଼ ଉପୁଡ଼ାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଗଣ୍ଡଗୋଳ ଏତେ ଉଗ୍ରରୂପ ନେଇଥିଲା ଯେ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ଉଭୟ ପକ୍ଷ ଖଣ୍ଡା, ଭୁଜାଲିରେ ପରସ୍ପରକୁ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ଏହାସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୋଟିଏ ପରିବାରର ୮ ଜଣ ଆହତ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ହୋଇଛନ୍ତି । ଘଟଣା ସ୍ଥଳରୁ ପୋଲିସ ଖଣ୍ଡା ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ମିଳିଥିବା ଅଭିଯୋଗ ଅନୁସାରେ ଜମିକୁ ନେଇ ଭାଇ, ଭଉଣୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଭାଇ ଜମି ଦଖଲରେ ରଖିଥିବା ବେଳେ ଭଉଣୀକୁ ଦେଉନାହାନ୍ତି । ଆଜି ଭଉଣୀ ସମ୍ପର୍କୀୟଙ୍କ ସହ ଯାଇଥିବା ବେଳେ ବିବାଦର ସୂତ୍ରପାତ ହୋଇଥିଲା ।