ବସ୍ ଚଳାଚଳକୁ ନେଇ ବାରିପଦାରେ ଗୋଷ୍ଠୀ ସଂଘର୍ଷ

ବାରିପଦା: ବାରିପଦା ବସଷ୍ଟାଣ୍ଡରେ ରକ୍ତାକ୍ତ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ହଣାକଟା । ୮ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ଯରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ପାଟିତୁଣ୍ଡ ଓ ପରେ ହାତାହାତି ହୋଇଥିଲା । ଆହତଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୪ ଗଣ୍ଡଗୋଳକାରୀଙ୍କୁ ଅଟକ ରଖାଯାଇଛି ।

ଭଦ୍ରକ ଜିଲ୍ଲାର ଦୁର୍ଗା ନାମକ ଏକ ଘରୋଇ ବସ ରାଇରଙ୍ଗପୁରରୁ ବ୍ରହ୍ମପୁର ଯିବାକୁ ବସଷ୍ଟାଣ୍ଡରେ ପଶି ତା’ର ନିର୍ଦ୍ଧାରିତ ସମୟକୁ ନ ମାନି ଯିବାକୁ ଚାହୁଁଥିଲା । ଏହାକୁ ନେଇ ସଂଘ ପକ୍ଷରୁ ପ୍ରତିବାଦ କରାଯିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ କିଛି ଯୁବକ ବାରିପଦା ବସ ମାଲିକ ସଂଘର କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିଲେ । ଖଣ୍ଡା, ଭୁଜାଲି ଓ ବସଷ୍ଟାଣ୍ଡରେ ଥିବା ଷ୍ଟପରରେ ମରଣାନ୍ତକ ଆକ୍ରମଣ କରିଥିବା ଆହତ ବସ ମାଲିକ ସୂଚନା ଦେଇଛନ୍ତି । ପ୍ରତିବାଦରେ ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ବସ ଚଳାଚଳ ବନ୍ଦ ରଖାଯାଇଥିବା ବସ ମାଲିକ ସଂଘ ସଭାପତି ସୁନିଲ ଦାଶ କହିଛନ୍ତି ।