ବସ୍ତିରେ ବୁଲିଲା ଖଣ୍ଡା, ଫୁଟିଲା ମାଉଜର

ରାଉରକେଲା: ରାଉରକେଲା ସହରର ମାଲଗୋଦାମ ବସ୍ତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ । ଗୁଳିମାଡ଼ ସହ ବୁଲିଲା ଖଣ୍ଡା । ଗୁଳିମାଡ଼ରେ ରୋହିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଖଣ୍ଡା ମାଡ଼ରେ ରାଜୁ ଚୌଧୁରୀ ଆହତ ହୋଇଛନ୍ତି । ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇବା ପରେ ଉଦିତନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଗତକାଲି ସନ୍ଧ୍ୟାରେ ମାଲଗୋଦାମ ବସ୍ତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଖିଲେ । ଗୋଟିଏ ଗୋଷ୍ଠୀ ଗୁଳିମାଡ଼ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଖଣ୍ଡାରେ ଆକ୍ରମଣ କରିଥିବା ସୂଚନା ମିଳିଛି । ବସ୍ତିରେ ଉତ୍ତେଜନା ଲାଗି ରହିଥିବା ବେଳେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଳମ୍ବିତ ରାତିରେ ବସ୍ତିରେ ପଥରମାଡ଼ ହୋଇଥିବା ଜଣାପଡ଼ିଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ୫ ଜଣଙ୍କୁ ଅଟକ ରଖିଛି । ଏବେବି ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି ।