ଚନ୍ଦ୍ର ଗ୍ରହଣରେ ଖାଇବାକୁ ନେଇ ଉତ୍ତେଜନା, ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ

ଭୁବନେଶ୍ୱର: ଚନ୍ଦ୍ରଗ୍ରହଣରେ ଖାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଓ ପରମ୍ପରାବାଦୀ । ଉଭୟ ପକ୍ଷ ମଧ୍ୟରେ ଠେଲା ପେଲା ସହ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ବରରେ ଲୋହିଆ ଏକାଡେମୀରେ ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ ଓ ପରମ୍ପରାବାଦୀମାନେ ହେତୁବାଦୀଙ୍କୁ ତୀବ୍ର ବିରୋଧ କରିବା ସହ ଭଙ୍ଗାରୁଜା କରିଛନ୍ତି । ଟେକା ପଥର ମାରିଛନ୍ତି ପରମ୍ପରାବାଦୀ । ଢେଲାପଥର ମାଡ଼ରେ ହେତୁବାଦୀ ଗୋଷ୍ଠୀର କିଛି ସଦସ୍ୟ ଆହତ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଛି । ହେଲେ ବିରୋଧ କରିବାକୁ ନିଜ ଜିଦରେ ଅଟଳ ରହିଛନ୍ତି ପରମ୍ପରାବାଦୀ ।

ଅନ୍ୟପଟେ ବ୍ରହ୍ମପୁରରେ ସ୍ଥିତି ଅଧିକ ଜଟିଳ ହୋଇଛି । ହେତୁବାଦୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ହେତୁବାଦୀଙ୍କ ଖାଦ୍ୟ ସେବନସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବ୍ରାହ୍ମଣ ସମାଜ । ଟେଣ୍ଟ ଭାଙ୍ଗିବା ସହ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଲାଠିଚାର୍ଜ କରିଥଲା । ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ହେତୁବାଦୀଙ୍କୁ ଘଟଣାସ୍ଥଳରୁ ନେଇ ନିଜ ନିଜ ଘରକୁ ପଠାଇବା ପରେ ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆସିଛି ।