ବାଲି ଉଠାଣକୁ ନେଇ ଥାନା ଭିତରେ ଗଣ୍ଡଗୋଳ: ୨ ଆହତ

ବାଲେଶ୍ୱର: ଥାନା ଭିତରେ ଗଣ୍ଡଗୋଳ । ରେମୁଣା ଥାନା ଭିତରେ ପୂର୍ବ ଶତ୍ରୁତାକୁ ନେଇ  ଗଣ୍ଡଗୋଳ । ଆକ୍ରମଣରେ ଦୁଇ ଜଣ ଆହତ । ସୋନ ନଦୀରୁ ବାଲି ଉଠାଣକୁ ନେଇ ରେମୁଣା ଥାନା ମନ୍ଦାରପୁର ଓ ନିଆଁବାଗ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିବା ବେଳେ ଗତ କିଛି ଦିନର ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି ।

ଘଟଣାନୁଯାୟୀ, ମଙ୍ଗଳବାର ରାତିରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚି ଥିବାବେଳେ, ସେହି ସମୟରେ ଅନ୍ୟ ଗୋଷ୍ଠୀର  ଲୋକେ ଥାନାରେ ପହଁଚି ଥିଲେ । ଉଭୟଙ୍କ ମଧ୍ୟରେ ସେଠାରେ  ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଗୋଟିଏ ପକ୍ଷକୁ ଅତର୍କିତ ଆକ୍ରମଣ ହେଉଥିବାରୁ ପୋଲିସ ପ୍ରଥମେ ପହଁଚିଥିବା ଲୋକଙ୍କୁ  ଆୟତ୍ତ କରୁଥିବା ସମୟରେ  କିଛି ଉତ୍ୟକ୍ତ ଲୋକ ଥାନା ଭଙ୍ଗାରୁଜା କରିବା ସହ ତେଲେଙ୍ଗା କଟୁରିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ରଘୁନାଥ ସାହୁ, ପ୍ରମିତା ଦାସ । ଉଭୟଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ପୋଲିସ ସାମ୍ନାରେ ଏଭଳି ଘଟଣା ଘଟିଥିବାରୁ ପୋଲିସ ପ୍ରତି ଆହତ ଗୋଷ୍ଠୀର ଲୋକଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରୁ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ । ପୋଲିସ ଥାନାରେ ଲାଗିଥିବା ସିସିଟିଭି  ଫୁଟେଜ ଆଧାରରେ ଗଣ୍ଡଗୋଳକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ଉତ୍ତେଜନାକୁ ଦେଖି ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।

ଏଥିସହିତ ପଢ଼ନ୍ତୁ: ଥାନାରେ ଡ୍ୟାନ୍ସ: ସସପେଣ୍ଡ ହେଲେ ଏଏସଆଇ, ଚେତାବନୀ ଦେଲେ ଏସପି

Leave a Reply