ଠାକୁରାଣୀଙ୍କ ଭୋଗ ଖିଆକୁ ନେଇ ଗଣ୍ଡଗୋଳ, ଜଣେ ମୃତ

ଢେଙ୍କାନାଳ: ଝିମିଟି ଖେଳରୁ ମହାଭାରତ । ଠାକୁରାଣୀଙ୍କ ଭୋଗକୁ ନେଇ ଗଣ୍ଡଗୋଳ । ସଂଘବଦ୍ଧ ଆକ୍ରମଣରେ ଗଲା ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁର ଗାଁରେ ସନ୍ତୋଷୀ ମାଆଙ୍କ ପୂଜା ଭୋଗକୁ ନେଇ ବିବାଦ ହୋଇଥିଲା । ଏବଂ ଘଟଣାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ତେବେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ପୂର୍ବତନ ୱାର୍ଡ ମେମ୍ବର ବିଜୟ ଗୁରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସଂଘବଦ୍ଧ ଆକ୍ରମଣରେ ଗୁରୁତର ବିଜୟଙ୍କୁ ପ୍ରଥମେ ମଠକରଗୋଳା ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନଆସିବାରୁ ତାଙ୍କୁ  ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ ଗତ ଶୁକ୍ରବାର ସୁରପ୍ରତାପ ପୁର ଗାଁରେ ସନ୍ତୋଷୀ ମାଆଙ୍କ ପୂଜା ହେଉଥିଲା । ଭୋଗଖିଆକୁ ନେଇ ପୂର୍ବତନ ୱାର୍ଡ ମେମ୍ବର  ବିଜୟ ସାହୁଙ୍କ ଝିଅ ସହିତ ଅନ୍ୟ ଏକ ଝିଅର ଝଗଡା ହୋଇଥିଲା । ଏପରିକି ଉଭୟ ଝିଅ କାମୁଡ଼ା କାମୁଡି ବି ହୋଇଥିଲେ । ଏନେଇ ଭୂବନ ଥାନାରେ ଏତଲା ଦେଇଥିଲେ ବିଜୟଙ୍କ ପରିବାର । ଗତ ରବିବାର ଥାନାରେ ବୁଝାମଣା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ରାଗ ରଖି ୧୫ରୁ ଉର୍ଦ୍ଧ୍ୱ ଲୋକ ବିଜୟଙ୍କୁ ଠେଙ୍ଗାବାଡ଼ି ଧରି ହଠାତ ଆକ୍ରମଣ କରିଥିଲେ । ବିଜୟଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି  । ଘଟଣାରେ ପୋଲିସ ତଦନ୍ତ ଚଳାଇଛି ।

Leave a Reply