ବୁଲଡୋଜରରେ ବସି କନ୍ୟା ଘରକୁ ଆସିଲା ବର

1 min read

ଲକ୍ଷ୍ନୌ : ଏବେ ଉତ୍ତରପ୍ରଦେଶରେ ବୁଲଡୋଜର ବାବାଙ୍କ ବହୁତ ଚର୍ଚ୍ଚା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ୟୁପି ସରକାର ଏବେ ବୁଲଡୋଜର ବାବାଙ୍କ ନାଁରେ ବେଶ୍ ଜଣାଶୁଣା ଏବଂ ପୂରା ସହରରେ ମଧ୍ୟ ଏହାକୁ ନେଇ ବହୁତ ଘଟଣା ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଏକ ଅନନ୍ୟ ବିବାହ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ବର ଘୋଡ଼ା କିମ୍ବା ଗାଡ଼ିରେ ନୁହେଁ ବରଂ ବୁଲଡୋଜରରେ ବସିକରି ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଲା । ଏହି ସମୟରେ ଏପରି ଅନନ୍ୟ ବରର ଶୋଭାଯାତ୍ରାର ଦୃଶ୍ୟ ସାରା ରାଜ୍ୟରେ ଚର୍ଚ୍ଛାର ବିଷୟ ପାଲଟିଛି ।

ଉତ୍ତରପ୍ରଦେଶର ଲକ୍ଷ୍ମଣପୁର ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ସଲୀମ ନାମକ ବ୍ୟକ୍ତିର ଝିଅ ରୁବିନାର ବାହାଘର ଆଲା ଗାଁର ଜଣେ ଯୁବକ ସହ ହେବା ପାଇଁ  ଠିକ୍ କରାଯାଇଥିଲା । ଆଉ ବାହାଘର ଦିନ ଡିଜେ ଗୀତ ସହ ସୁସଜ୍ଜିତ ବୁଲଡୋଜରରେ ବସି କନ୍ୟାଘରେ ପହଞ୍ଚିଲା ବର । ଏପରି ଅନନ୍ୟ ବୁଲଡୋଜରେ ବରଯାତ୍ରୀ ଯାଉଥିବା ଦୃଶ୍ୟ ଦେଖିବାକୁ ପୁରା ଗାଁ ଏକାଠି ହୋଇଯାଇଥିଲା । ଏହି ବରଯାତ୍ରୀରେ ଗୋଟିଏ ନୁହେଁ ବରଂ ୬ଟି ବୁଲଡୋଜର ସାମିଲ ଥିଲା । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ,ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ଏକତ୍ରିତ ହୋଇଥିବା ଗାଁ ଲୋକ ମାନେ ‘ଜୟ ହୋ ବୁଲଡୋଜର ବାବା କି’ ନାରା ମଧ୍ୟ ଲଗାଇଥିଲେ ।